ଆପାର୍ଟମେଣ୍ଟରୁ ଡେଇଁ ସ୍ତ୍ରୀର ଆତ୍ମହତ୍ୟା ,ପରେ ଝିଅକୁ ଧରି ଡେଇଁପଡିଲେ କନଷ୍ଟେବଳ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । 

779

କନକ ବ୍ୟୁରୋ: ୧୨ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କଲେ ପୋଲିସ କନଷ୍ଟେବଲ । ପ୍ରଥମେ ସ୍ତ୍ରୀ କୋଠାରୁ ଡେଇଁ ପଡିବା ପରେ ପରେ କୁନି ଝିଅକୁ ଧରି ଡେଇଁ ପଡିଲେ କନଷ୍ଟେବଳ କୁଲଦୀପ ସିଂହ ଯାଦବ । ଗୁଜରାଟ ଗୋଟା ଅଞ୍ଚଳର ବସ୍ତ୍ରାପୁରରେ ଘଟିଛି ଏପରି ଅଭାବନୀୟ ଘଟଣା । ଏହି ସମୂହ ଆତ୍ମହତ୍ୟାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ପୁଲିସର କହିବା ଅନୁସାରେ ଅହମଦାବାଦ ନଗରୀର ଏକ ଥାନାରେ ନିଯୁକ୍ତ କନଷ୍ଟେବଳ ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ବନ୍ଧୁ ଓ ସହକର୍ମୀମାନଙ୍କ ପାଖକୁ ହ୍ୱାଟ୍ସଆପ୍‌ରେ ଦୀର୍ଘ ବାର୍ତ୍ତା ପଠାଇଥିଲେ । ଏସବୁ ବାର୍ତ୍ତା ବେଶ୍ ଆବେଗଭରା ଥିଲା । ଏଥିରେ ସେ ସେମାନଙ୍କ ସହିତ ଓ ତାଙ୍କ ବାପାମାଆଙ୍କ ସହିତ କଟାଇଥିବା ମୁହୂର୍ତ୍ତଗୁଡ଼ିକ ସ୍ମରଣ କରିଥିଲେ।

ନିଜ ଚାକିରିକୁ ନେଇ ବେଶ୍ ଖୁସି ଥିଲେ କନଷ୍ଟେବଲ କୁଲଦୀପ ସିଂହ ଯାଦବ । ତାଙ୍କର ଦରମା ବଢିଥିଲା । ଏହାସହ ସମସ୍ତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀଙ୍କ ସହ ତାଙ୍କର ସମ୍ପର୍କ ବହୁତ ଭଲ ଥିଲା ।  ତେଣୁ ତାଙ୍କ ଆତ୍ମହତ୍ୟାର ସଠିକ୍ କାରଣ ଏଯାଏଁ ଜଣାପଡିନଥିବା କହିଛି ପୋଲିସ । ହୁଏତ ତାଙ୍କ ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଥିବାରୁ ସେ ଏପରି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରୁଛି ପୋଲିସ । ମୃତ୍ୟୁ ପୂର୍ବରୁ ନିଜ ସାଙ୍ଗ ସାଥୀ ଓ ବିଭାଗୀୟ ଅଧିକାରୀଙ୍କୁ କରିଥିବା ମସେଜରୁ ପୋଲିସ ଏପରି ଅନୁମାନ କରୁଛି ।