ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

104

କନକ ବ୍ୟୁରୋ : ଆଜି ସାରା ପଶ୍ଚିମ ଓଡିଶା ପାଳୁଛି ନୂଆଁଖାଇ । କେବଳ ଶୁଭ ମୂହୂର୍ତକୁ ଅପେକ୍ଷା । ଇଷ୍ଟଦେବୀ ମା ସମଲେଇଙ୍କଠାରେ ନବାନ୍ନ ଲାଗି ହେଲା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ । ଏନେଇ ଆଜି ସକାଳ ୧୦.୫୬ ରୁ ୧୧.୧୦ ଯାଏଁ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଏହି ଅବସରରେ ଓଡିଶା ଏବଂ ଓଡିଶା ବାହାରେ ରହୁଥିବା ପଶ୍ଚିମ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମା’ ସମଲେଶ୍ୱରୀଙ୍କ ନିକଟରେ ପଶ୍ଚିମ ଓଡ଼ିଶା ତଥା ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ମାଆ ସମଲେଇ ସମସ୍ତଙ୍କୁୁ ଖୁସିରେ ରଖନ୍ତୁ ଏହି କାମନା କରିଛନ୍ତି ।

ସେପଟେ, ମା’ଙ୍କ ମନ୍ଦିରରେ ଗୁପ୍ତ ପୂଜା କରାଯିବା ସହ ନବାନ୍ନ ଲାଗି ହେବ । ଏହାପରେ ଘରେ ଥିବା ଇଷ୍ଟ ଦେବୀଙ୍କ ନିକଟରେ ଲାଗିହେବ ନବାନ୍ନ । ଏହାପରେ ଏକାଠି ହୋଇ ପରିବାର ଲୋକେ ନବାନ୍ନ ଖାଇବେ । ପରେ ଗୁରୁଜନଙ୍କଠାରୁ ଆଶୀର୍ବାଦ ନେବେ । ପୂଜକଙ୍କ ପରିବାରରେ ପିଠାପଣା ଠାରୁ ଆରମ୍ଭ କରି ନବାନ୍ନ ପ୍ରସ୍ତୁତ ହୋଇଛିି । ମହିଳାମାନେ ପିଠାପଣା ତିଆରିରେ ବ୍ୟସ୍ତ ଥିବା ବେଳେ ପୂଜକମାନେ ମାଁଙ୍କ ରୀତିନିତୀରେ ବ୍ୟସ୍ତ ଅଛନ୍ତି । ଘରେ ଘରେ ଲାଗିଛି ଗହଳି ଚହଳି । ଘରକୁ ଫେରିଛନ୍ତି ଦୂରରେ ଥିବା ପରିବାର ସଦସ୍ୟ ।