ବିଜେପିରୁ ନିଲମ୍ବିତ ନବୀନ ଜିନ୍ଦଲଙ୍କୁ ଧମକପୂର୍ଣ୍ଣ ମେଲ୍ । ଦୁର୍ବୃତ୍ତ କହିଲେ ‘କହ୍ନେୟାଲାଲ ପରି ତୁମର ମୁଣ୍ଡ କାଟିଦେବୁ’

173

କନକ ବ୍ୟୁରୋ: ପୈଗମ୍ବର ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ଅନ୍ୟତମ ନେତା ନବୀନ ଜିନ୍ଦଲଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ନବୀନ ଟ୍ୱିଟ୍ କରି ଏହା ଜଣାଇଛନ୍ତି । ତାଙ୍କ କହିବା ମୁତାବକ, ତାଙ୍କୁ ଉଦୟପୁରରେ ଟେଲର କହ୍ନେୟାଲାଲଙ୍କ ମୁଣ୍ଡ କାଟର ଭିଡିଓ ଆଟାଚ୍ କରି ପଠାଇବା ସହ ସମାନଭାବେ ନବୀନଙ୍କର ଓ ତାଙ୍କ ପରିବାର ଲୋକଙ୍କର ମୁଣ୍ଡ କାଟିବାକୁ ଧମକ ଦିଆଯାଇଛି ।

ବୁଧବାର ସକାଳ ପାଖାପାଖି ୬ଟା ୪୩ ମିନିଟରେ ନବୀନଙ୍କ ପାଖକୁ ୩ ଟି ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଏଥିରେ ନବୀନଙ୍କୁ କହ୍ନେୟାଲାଲଙ୍କ ପରି ହତ୍ୟା କରିବାକୁ ଧମକ ଲେଖାଯାଇଥିବା ନବୀନ ନିଜେ ଜଣାଇଛନ୍ତି । ଏହାପରେ ସେ ପୋଲିସକୁ ସୂଚନା ଦେବା ସହ ତାଙ୍କ ସୁରକ୍ଷା ପାଇଁ ଅପିଲ କରିଛନ୍ତି ।

ପୈଗମ୍ବର ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସମର୍ଥନ ଜଣାଇବାରୁ  ରାଜସ୍ଥାନ ଉଦୟପୁରର ଜଣେ ହିନ୍ଦୁ ଟେଲର କହ୍ନେୟାଲାଙ୍କୁ ଅତି ନିର୍ଦ୍ଦୟ ଭାବେ ମୁଣ୍ଡକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପରେ ଏହି ହତ୍ୟାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଜାରି କରିଛନ୍ତି । ତେବେ ଇସ୍ଲାମ ବିରୋଧରେ ଯିବାର ପ୍ରତିଶୋଧ ନିଆଯାଇଛି ବୋଲି ହତ୍ୟାକରୀ ଭିଡିଓରେ କହିଛନ୍ତି । ଏହି ଘଟଣା ପରେ ଉଦୟପୁରରେ ହିଂସା ସୃଷ୍ଟି ହୋଇଛି । ତେବେ ଏହାକୁ ନିୟନ୍ତ୍ରଣ କରିବାକୁ ପୁରା ଇଲାକାରେ କର୍ଫ୍ୟୁ ଜାରି କରାଯିବା ସହ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି ।

ସୂଚନା ମୁତାବକ, ପୂର୍ବରୁ ଟେଲର କହ୍ନେୟାଲାଲଙ୍କୁ ହତ୍ୟା ଧମକ ମିଳିଥିଲା । ଏନେଇ କହ୍ନେୟାଲାଲ ଜୁନ୍ ୧୫ ତାରିଖରେ ପୋଲିସକୁ ଲିଖିତ ଭାବେ ଜଣାଇଥିଲେ ଏବଂ ସୁରକ୍ଷା ମାଗିଥିଲେ । ହେଲେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡିଛି ।