ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ବଡ ଘୋଷଣା : ପଞ୍ଚାୟତ ନିର୍ବାଚନ ସମେତ ଅନ୍ୟ ସମସ୍ତ ନିର୍ବାଚନରେ ୨୭% ପଛୁଆବର୍ଗକୁ କରିବ ପ୍ରାର୍ଥୀ

413

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୭ ପ୍ରତିଶତ ଓବିସି ପ୍ରାର୍ଥୀ ଦେବ । ଆଜି ବିଜେଡି ଏହି ବଡ ଘୋଷଣା କରିଛି । ପଞ୍ଚାୟତ ନିର୍ବାଚନ ପାଇଁ ସରକାର କୌଣସି ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳ ଏହି ନିଷ୍ପତ୍ତି ନେଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ କହିଛି, ସାଂପ୍ରତିକ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ସଂସ୍ଥାଗୁଡିକରେ ଆଗାମୀ ନିର୍ବାଚନ ପାଇଁ ଆବଶ୍ୟକ ସଂରକ୍ଷଣ ନିମନ୍ତେ ସରକାର ବିଚାର କରୁଛନ୍ତି । ଯାହାକି ସଂପ୍ରତି ବିଭିନ୍ନ ନ୍ୟାୟାଳୟର ଅନ୍ତରୀଣ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାର ପରିଚାୟକ ହେବା ସଙ୍ଗେ ସଙ୍ଗେ ଏକ ଚୂଡାନ୍ତ ନିର୍ଯାସ ନେବାରେ ସହାୟତା କରିବ । ପ୍ରେସମିଟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଉପସ୍ଥିତ ଥିଲେ ।

ରାଜ୍ୟ ସରକାରଙ୍କ ଏସଇବିସି ଆଇନ ୨୦୦୮ରେ ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ବିଭିନ୍ନ କୋର୍ଟର ଆଦେଶ ଦୃଷ୍ଟିରୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ମଙ୍ଗଳବାରଦିନ ଓବିସି ବିଲ ପାର୍ଲାମେଂଟରେ ପାସ ହୋଇଛି । ଏହାଦ୍ୱାରା ରାଜ୍ୟମାନଙ୍କୁ ଓବିସି ତାଲିକା ପ୍ରସ୍ତୁତିର କ୍ଷମତା ମିଳିବ । ଏହାପରେ ବିଜେଡି ସମେତ ବିଭିନ୍ନ ରାଜନୈତିକ ଦଳ କୋଟାକୁ ୫୦ ପ୍ରତିଶତରୁ ଅଧିକ କରିବା ପାଇଁ ଦାବି କରିଛନ୍ତି । ଏ ନେଇ ବିଜେଡି ସାଂସଦମାନେ ବୁଧବାରଦିନ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ବି ଭେଟିଥିଲେ । ଏବେ ଓବିସିଙ୍କୁ ପଂଚାୟତ ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ଦେବ ବୋଲି ଘୋଷଣା କରି ବିଜେଡି ଏକ ମାଷ୍ଟ୍ରରଷ୍ଟ୍ରୋକ ଖେଳିଛି ବୋଲି କୁହାଯାଉଛି ।

ତେବେ କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି । ସେହିପରି ରାଜ୍ୟର ତାଲିକା ଅନୁସାରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରୀରେ ସଂରକ୍ଷଣ ସୁବିଧା ପାଉଛନ୍ତି । ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ୍ ବଳରେ ରାଜ୍ୟ ସରକାର ଚାହିଁଲେ କୌଣସି ଯୋଗ୍ୟ ଜାତିକୁ ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ କରିପାରୁଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ସରକାର କୌଣସି ଜାତିକୁ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜାତୀୟ ପଛୁଆବର୍ଗ କମିଶନଙ୍କୁ ତଥ୍ୟ ଦେବା ସହିତ ଉପଯୁକ୍ତ ଦାବି ଉପସ୍ଥାପନ କରିବାକୁ ପଡିଥାଏ । ଯଦି ତାହା କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୁଏ ତେବେ ସେହି ଜାତି ଓବିସି ତାଲିକାଭୁକ୍ତ ହୁଏ । ଅଗଷ୍ଟ ୨୦୧୮ ମସିହା ପୂର୍ବରୁ ଆମ ରାଜ୍ୟରେ ୨୦୦ଟି ଜାତି ଏବଂ ଉପଜାତି ଓବିସି ତାଲିକା ଅନ୍ତଭୁକ୍ତ ହୋଇଛି । ସଂରକ୍ଷଣ ସୀମା ୫୦ ପ୍ରତିଶତ ଥିବାରୁ ଏବଂ ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପ୍ରାୟ ୩୯% ଥିବାରୁ ଏସଇବିସିମାନଙ୍କୁ ମାତ୍ର ୧୧.୨୫ପ୍ରତିଶତ ସଂରକ୍ଷଣ ମିଳୁଛି ।