ଲୋକାର୍ପଣ ହେଲା ବିଜୁଙ୍କ ଡାକୋଟା । ଭୁବନେଶ୍ୱର ବିମାନବନ୍ଦର ପରିସରରେ ଲୋକାର୍ପିତ କଲେ ନବୀନ ପଟ୍ଟନାୟକ

704

କନକ ବ୍ୟୁରୋ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଜାତି ଉଦ୍ଦେଶ୍ୟରେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନକୁ ସମର୍ପଣ କରିଛନ୍ତି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ବିମାନକୁ ଆଜି ସର୍ବସାଧାରଣଙ୍କ ପାଇଁ, ଓଡ଼ିଆ ମାନଙ୍କ ପାଇଁ ଓ ସାରା ଦେଶ ବାସୀଙ୍କ ପାଇଁ ସମର୍ପିତ କରିଛନ୍ତି।

ସୂଚନା ଯୋଗ୍ୟ ଯେ ଏହି ବିମାନ କଲିକତା ବିମାନ ବନ୍ଦରରେ ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହାକୁ ଭୁବନେଶ୍ବର ବିମାନ ବନ୍ଦରକୁ ଅଣାଯାଇ ମରାମତି କରାଯାଇ ସମ୍ପୂର୍ଣ୍ଣ ନୂଆ ରୂପରେ ପ୍ରଦର୍ଶନ କରାଯାଇଛି। ଏହି ବିମାନରେ ରହିଛି ବିଜୁ ବାବୁଙ୍କର ଅଦମ୍ୟ ସାହସୀ ଓଡ଼ିଆ ଯୁବକଙ୍କର ବିରତ୍ଵ ଓ ପରାକାଷ୍ଠାର କାହାଣୀ। ଏହି ବିମାନରେ ବିଜୁ ବାବୁ, ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ସହିତ ଇଣ୍ଡୋନେସିଆ ଯାଇ ସେଠାକାର ସ୍ଵାଧନତା ସଂଗ୍ରାମୀ ମାନଙ୍କୁ ଡଚ୍ ମାନଙ୍କ କବଳରୁ ମୁକ୍ତ କରି ଭାରତ ଆଣିଥିଲେ। ସେ କାହାଣୀ ଆଜି ସମସ୍ତେ ଜାଣନ୍ତି। କିନ୍ତୁ ଆଜିଠାରୁ ସେହି ଐତିହାସିକ ଘଟଣାର ଜୀବନ୍ତ ସାକ୍ଷୀ କୁ ଦେଖିବାର ସୁଯୋଗ ପାଇବେ ଓଡ଼ିଶା ବାସୀ, ଦେଶବାସୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ବିମାନ ଏବେ ଯୁଗ ଯୁଗ ଧରି ଓଡ଼ିଆ ମାନଙ୍କୁ ସାହସ, ବିରତ୍ୱ ଓ ଦେଶ ପାଇଁ ସମର୍ପଣ ଭାବର ବାର୍ତ୍ତା ଦେଇ ଚାଲିବ। ବିଶ୍ଵବାସୀଙ୍କ ସମ୍ମୁଖରେ ଓଡ଼ିଶାର ମର୍ଯ୍ୟାଦାକୁ ପ୍ରତିଷ୍ଠିତ କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର- ରଙ୍ଗେଇଲୁଣ୍ଡା ବିମାନସେବାର ଶୁଭାରମ୍ଭ ମଧ୍ୟ କରିଛନ୍ତି।