ଅବ୍ୟବସ୍ଥାରେ ଯାଜପୁର ଜାରକାରେ ଥିବା ବିଜୁ ଗ୍ରାମୀଣ ବଜାର: ୧୯ ବର୍ଷ ବିତିଲାଣି ମରାମତି ହେଉନି ଦୋକାନ ଘର

32

କନକ ବ୍ୟୁରୋ: କେମିତି ଅଛି ବିଜୁ ଗ୍ରାମୀଣ ବଜାର। ୧୯ ବର୍ଷ ଭିତରେ ଥରେ ବି ମରାମତି ହୋଇନି କି ରଙ୍ଗ ଦିଆଯାଇନି ଯାଜପୁର ଜିଲ୍ଳା ଜାରକା ବଜାରରେ ଥିବା ବିଜୁ ଗ୍ରାମୀଣ ବଜାର । ପ୍ରଶ୍ନ ଉଠୁଛି ୧୦୪ ଦୋକାନୀଙ୍କ ଠାରୁ ଆଦାୟ ସିକ୍ୟୁରିଟି ମନି ଓ ମାସିକ ଭଡା ଟଙ୍କା ଯାଉଛି କୁଆଡେ ? ବିଡିଓ କହିଲେ ସମସ୍ତ ଟଙ୍କା ଗଛିତ ଅଛି , ମରାମତି ପାଇଁ ଦୋକାନୀ କେବେ କରିନାହାନ୍ତି ଆବେଦନ । ଏନେଇ କଡା ଅଭିମୁଖ୍ୟ ରଖିଲେ ବିଧାୟକ, କହିଲେ ଦୁର୍ନିତୀ ହୋଇଥିଲେ ଜିବେ ଜେଲ ।

ଯାଜପୁର ଜିଲ୍ଳା ଜାରକା ବଜାରରେ ଥିବା ବିଜୁ ଗ୍ରାମୀଣ ବଜାର । କେଉଁଠି କାନ୍ଥରୁ ରଙ୍ଗ ଛାଡି ଯାଇଛି ତ କେଉଁଠି ତାଜା ଫାଟି ଲୁହାଛଡ ବାହାରକୁ ଦେଖାଯାଉଛି । କେଉଁଠି କାନ୍ଥରେ ଗଛଲତା ଉଠିଗଲାଣି । ୨୦୦୦ ମସିହାରେ ପ୍ରାୟ ୮୫ ଲକ୍ଷ ଟଙ୍କା ବ୍ୟୟରେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ୨୦୦୫ ମସିହାରେ ଧର୍ମଶାଳା ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଏଠାରେ ଥିବା ୧୦୬ଟି ଦୋକାନରୁ ୧୦୪ଟି ଦୋକାନ ଘର ଭଡା ଦିଆଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଘରପିଛା ଆଠ ହଜାର ଟଙ୍କା ସିକ୍ୟୁରିଟି ବାବଦକୁ ଆଦାୟ କରାଯାଇଥିଲା । ପରେ ଏହା କୋଡିଏ ହଜାର ଟଙ୍କାକୁ ବୃଦ୍ଧି କରଯାଇଥିଲା । ଏଥିସହ ବ୍ଲକ ପ୍ରଶାସନ ପକ୍ଷରୁ ଭଡା ବାବଦକୁ ୧୦୪ ଦୋକାନରୁ ମାସିକ ୬୦୦, ୮୦୦ ଓ ୧୦୦୦ ଟଙ୍କା ଲେଖାଏଁ ୧୯ ବର୍ଷ ହେବ ଆଦାୟ ହୋଇ ଆସୁଛି । କିନ୍ତୁ ଏହାର ରକ୍ଷଣାବେକ୍ଷଣ ଅବା ମରାମତି କାର୍ଯ୍ୟ ହେଉନଥିବାରୁ ବିଜୁ ଗ୍ରାମୀଣ ବଜାରର ଏବେ ନଷ୍ଟ ହେବାକୁ ବସିଲାଣି।

ଏହି ବଜାରରେ ଥିବା ଘରଗୁଡିକ ବିପଦସଙ୍କୁଳ ଅବସ୍ଥାରେ ରହିଛି । ବଜାର ଭିତର ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବା ବେଳେ ଏଠାରେ ଲଗାଯାଇଥିବା ଥଣ୍ଡାପାନୀୟ ଫିଜ୍ ଟି ଦୀର୍ଘଦିନ ହେବ ଅଚଳ ହୋଇପଡି ରହିଛି । ଅନ୍ୟପଟେ ଦୋକାନ ଘର ଆବଂଟନରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଅନୁକମ୍ପା ଦେଖାଯାଇଥିବା ଜଣାପଡିଛି । ଗ୍ରାମୀଣ ବଜାରରୁ ଆଦାୟ ଅର୍ଥ ଯଦି ହଡ଼ପ ହୋଇଥାଏ ତେବେ ଦୁର୍ନିତୀଗ୍ରସ୍ତଙ୍କୁ ଜେଲ ପଠାଯିବ ବୋଲି କହିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ।

ବ୍ୟବସାୟୀଙ୍କଠାରୁ କୋଟିକୋଟି ଟଙ୍କା ଆଦାୟ କରିଥିବା ବ୍ଲକ ପ୍ରଶାସନ ଏହି ଗ୍ରାମୀଣ ବଜାରର ସୁରକ୍ଷା ଦିଗରେ ପଦକ୍ଷେପ ନେଇ ନିଜ ସ୍ୱଛତାର ପ୍ରମାଣ ଦେବାର ଆବଶ୍ୟକତା ରହିଛି ।