ଦେଶ ରହିଲେ ସବୁ ଦଳ ରହିବ, ଦେଶ ନ ରହିଲେ ରାହୁଲ ଗାନ୍ଧୀ ବି ରହିବେନି । ସଂସଦରେ ରାହୁଲଙ୍କ ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ଟାର୍ଗେଟ କଲେ ମନମୋହନ ।

452

କନକ ବ୍ୟୁରୋ : ରାହୁଲ ଗାନ୍ଧୀ ଲୋକସଭାରେ ହିନ୍ଦୁ ମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ କଂଗ୍ରେସ ଉପରେ ବର୍ଷିଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, କଂଗ୍ରେସ ୫୬ ବର୍ଷ ଦେଶକୁ ଶାସନ କରିଛି ତେଣୁ ସେମାନଙ୍କର ବିରୋଧୀ ଦଳରେ ବସିବାର ଅଭ୍ୟାସ ନାହିଁ । ସେଥିପାଇଁ ସେମାନେ ଅଣ ନିଶ୍ୱାସୀ ହୋଇଛନ୍ତି, ମାନସିକ ଭାରସାମ୍ୟ ହରାଇଛି କଂଗ୍ରେସ । ରାହୁଲ ଗାନ୍ଧୀ କଣ କୁହନ୍ତି ନିଜେ ବୁଝି ପାରନ୍ତି ନାହିଁ । ରାହୁଲ ଗାନ୍ଧୀ ହିନ୍ଦୁ ମାନଙ୍କୁ ହିଂସ୍ର ଓ ମିଛୁଆ, ଆତଙ୍କବାଦୀ କହିବାକୁ ବିଜେପି ନିନ୍ଦା କରୁଛି । ଯାହା ୧୪୦ କୋଟି ଭାରତୀୟ ଏବଂ ସାଢେ ୪ କୋଟି ଓଡ଼ିଆଙ୍କୁ କଷ୍ଟ ଦେଇଛି । ହିନ୍ଦୁ ମାନଙ୍କର ସ୍ବାଭିମାନ ଓ ଆତ୍ମ ସମ୍ମାନ ଉପରେ ଯେଉଁ ମାନେ ଆଘାତ କରିଛନ୍ତି, ସେମାନେ କେହି ରହି ନାହାନ୍ତି ।

ଏହାସହ ମନମୋହନ କହିଛନ୍ତି, ଯେଉଁ ଗାତ ଯିଏ ଖୋଳନ୍ତି, ସେହି ଗାତରେ ସେମାନେ ପଡ଼ନ୍ତି । ଦେଶ ନରହିଲେ କେହି ରହିବେ ନାହିଁ । ଦେଶ ନ ରହିଲେ ରାହୁଲ ଗାନ୍ଧୀ ବି ରହିବେ ନାହିଁ, ଦେଶ ରହିଲେ ସବୁ ଦଳ ରହିବେ । ହିନ୍ଦୁ ମାନଙ୍କ ବିନା ଭାରତ ପରିକଳ୍ପନା ଅସମ୍ଭବ । ଭାରତର ଗରିମା ନଷ୍ଟ କରିବାର କାହାର ଅଧିକାର ନାହିଁ । ହିନ୍ଦୁତ୍ୱ ଏକ ଜୀବନ ଧାରା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଭାରତକୁ ହିନ୍ଦୁସ୍ଥାନ ବୋଲି କୁହାଯାଏ । ସମସ୍ତେ ହିନ୍ଦୁ ବିଚାର ଧାରା ପାଇଁ ଲଢ଼ୁଥିଲେ । ରାହୁଲ ଗାନ୍ଧୀ ଜଣେ ମିଥ୍ୟାବାଦୀ, ହିଂସ୍ର ଓ ଆତଙ୍କବାଦୀ ।

ଜଣେ ଦାୟିତ୍ଵ ହୀନ ବ୍ୟକ୍ତି ଭାବେ ରାହୁଲ ଗାନ୍ଧୀ ଯାହା କହିଲେ, ତାହା ଭାରତବାସୀ, ଓଡିଶାବାସୀଙ୍କୁ ଆଘାତ ଦେଇଛି । ହିନ୍ଦୁତ୍ୱ ଅଛି ବୋଲି ଏଠାରେ ଗଣତନ୍ତ୍ର ରହିଛି । ଅନ୍ୟ ଦେଶରେ କଣ ହେଉଛି ତାହା ପୂରା ବିଶ୍ୱ ଦେଖୁଛି । ରାହୁଲ ଗାନ୍ଧୀ ଯଦି କଥା କହିପାରୁଛନ୍ତି ତେବେ ତାହା କେବଳ ଭାରତର ଗଣତାନ୍ତ୍ରିକ ଓ ରାଜନୈତିକ ବ୍ୟବସ୍ଥା ପାଇଁ ସମ୍ଭବପର ହୋଇପାରିଛି । ଯିଏ ସମ୍ବିଧାନକୁ ସମ୍ମାନ ଦେଇ ପାରିଲେ ନାହିଁ । ନିଜ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେଇ ପାରିଲେ ନାହିଁ, ସେ ଲୋକ ଠାରୁ ଅଧିକ ଆଶା କରିବା ବୃଥା ବୋଲି କହିଛନ୍ତି ମନମୋହନ ।

ଜରୁରୀକାଳୀନ ପରିସ୍ଥିତିରେ ଲକ୍ଷ ଲକ୍ଷ ଲୋକଙ୍କୁ ଜେଲରେ ପୁରାଇଲେ । କ୍ଷମତା ପାଇଁ ଦେଶକୁ ତୁଚ୍ଛ କରିପାରେ କଂଗ୍ରେସ । ୧୯୮୪ ମସିହାରେ ଶିଖ ମାନଙ୍କୁ ନର ସଂହାର କରିଥିଲା କଂଗ୍ରେସ । କ୍ଷମତାରେ ଅନ୍ଧ ହୋଇ କଂଗ୍ରେସ ପୂର୍ବରୁ କଣ କରିଛି ତାହା ପୂର୍ବରୁ ଦେଶ ଦେଖିଛି । ଓଡ଼ିଶାରେ କାହିଁକି କଂଗ୍ରେସ ଲୋପ ପାଇଗଲା । କଂଗ୍ରେସ ଆତ୍ମସମୀକ୍ଷା କରିବା ଉଚିତ୍ । କାହିଁକି ସେମାନେ ଆଜି ଏଭଳି ଅବସ୍ଥାରେ ଅଛନ୍ତି । ଲୋକସଭାରେ କାହିଁକି ୪୨୫ରୁ ଆଜି କଂଗ୍ରେସ ଏଭଳି ଅବସ୍ଥାରେ ପହଞ୍ଚିଛି । କଂଗ୍ରେସ ଏନେଇ ଆତ୍ମସମୀକ୍ଷା କରିବା ଆବଶ୍ୟକ । ଲୋକଙ୍କୁ ତୁଚ୍ଛ ମନେକରିବା ଓ ପରିବାରବାଦକୁ ଉତ୍ସାହିତ କରିବାର ଫଳ ଭୋଗୁଛି କଂଗ୍ରେସ । କିଛି ଏଭଳି କହି କଂଗ୍ରେସର କଟାକ୍ଷର ତୀର ମାରିଛନ୍ତି ମନମୋହନ ।

ରାହୁଲ ଗାନ୍ଧୀ ଚୀନ ଓ ପାକିସ୍ତାନକୁ ପ୍ରଶଂସା କରନ୍ତି । ତାଙ୍କ ବିଷୟରେ ଯେତେ ନିନ୍ଦା କଲେ କମ୍ ହେବ । କଂଗ୍ରେସ ନିଜର ବୁଦ୍ଧି, ବିବେକର ଆତ୍ମସମୀକ୍ଷା କରୁ । ସଂସଦର ଗାରିମା ନଷ୍ଟ ନ କରିବାକୁ ବରିଷ୍ଠ ନେତା ମାନେ ରାହୁଲ ଗାନ୍ଧୀଙ୍କୁ ବୁଝାଇବା ଦରକାର ବୋଲି କହିଛନ୍ତି ମନମୋହନ ସାମଲ । ଦେଶଭକ୍ତିକୁ ନେଇ ଆମ ନେତାଙ୍କ ଉପରେ କେହି ଆଙ୍ଗୁଳି ଉଠାଇପାରିବେନି । ରାହୁଲ ଗାନ୍ଧୀ ସଂସଦରେ ଯେଉଁ କଥା କହିଛନ୍ତି ତାହା ହିନ୍ଦୁମାନଙ୍କୁ ବହୁତ ବାଧିଛି ।