ନୂଆପୀଢିର ବାଲାଷ୍ଟିକ ମିସାଇଲ ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ, ସଶସ୍ତ୍ରବଳରେ କରାଯିବ ସାମିଲ

150

କନକ ବ୍ୟୁରୋ : ନୂଆ ପୀଢିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ପ୍ରଥମ ପ୍ରି-ଇଣ୍ଡକ୍ସନ ନାଇଟ୍ ଉତକ୍ଷେପଣ ଓଡିଶା ଉପକୂଳରେ ସଫଳ ଭାବେ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓଡିଶା ଉପକୂଳରେ ଥିବା ଅବଦୁଲ କଲାମ ଦ୍ୱୀପରୁ ସଫଳ ପରୀକ୍ଷଣ କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ବିବୃତି ମୁତାବକ କ୍ଷେପଣାସ୍ତ୍ରର ଉଡାଣ ପରୀକ୍ଷଣ ସମୟରେ ସମସ୍ତ ଉଦ୍ଦେଶ୍ୟ ସଫଳତାର ସହ ପ୍ରଦର୍ଶିତ ହୋଇଛି । ବିବୃତି ଅନୁଯାୟୀ କ୍ଷେପଣାସ୍ତ୍ରର ତିନୋଟି ସଫଳ ବିକାଶ ପରୀକ୍ଷଣ ପରେ ବ୍ୟବହାରକାରୀଙ୍କ ଦ୍ୱାରା କରାଯାଇଥିବା ଏହା ପ୍ରଥମ ପ୍ରି-ଇଣ୍ଡକ୍ସନ ନାଇଟ୍ ଲଞ୍ଚ କରାଯାଇଥିଲା । ଯାହା ସିଷ୍ଟମର ସଠିକତା ଏବଂ ବିଶ୍ୱସନୀୟତାକୁ ପ୍ରମାଣିତ କରେ ।

ଯାନର ସମଗ୍ର ଗତିପଥକୁ କଭର କରୁଥିବା ଉଡାଣ ତଥ୍ୟ ସଂଗ୍ରହ କରିବା ପାଇଁ ଦୁଇଟି ଡାଉନ -ରେଞ୍ଜ ଜାହାଜ ସମେତ ବିଭିନ୍ନ ସ୍ଥାନରେ ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ- ଅପଟିକାଲ ଟ୍ରକିଂ ସିଷ୍ଟମ ଭଳି ରେଞ୍ଜ ଇନଷ୍ଟ୍ରୁମେଣ୍ଟେସନ ନିୟୋଜିତ କରାଯାଇଥିଲା ।

ଡିଆରଡିଓ ଏବଂ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ବରିଷ୍ଠ ଅଧିକାରୀମାନେ ସଫଳ ଉଡାଣ ପରୀକ୍ଷଣ ଦେଖିଥିଲେ । ଏହି ପରୀକ୍ଷଣ ଦ୍ୱାରା ଏହି ବ୍ୟବସ୍ଥାକୁ ସଶସ୍ତ୍ର ବାହିନୀରେ ସାମିଲ କରିବାର ବାଟ ଖୋଲିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଏବଂ ସଶସ୍ତ୍ର ବାହିନୀକୁ ନୂତନ ପୀଢିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳତା ଏବଂ କପି-ବୁକ୍ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।