ପାଣି ପିଇବାକୁ ଯାଇ ଲୋଟା ଭିତରେ ଫସିଗଲା ମାଙ୍କଡ ଛୁଆର ମୁହଁ । ଘଣ୍ଟା ଘଣ୍ଟା ଧରି ବୁଲିଲା ଅସହାୟ ମା’ । ଏପରି ଭାବରେ ବଞ୍ଚିଲା ଜୀବନ

676

କନକ ବ୍ୟୁରୋ: ମହାରାଷ୍ଟ୍ର ଚନ୍ଦ୍ରପୁରର ଏକ ହୃଦୟ ବିଦାରକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନବସତି ମଧ୍ୟକୁ ପଶିଆସୁଛନ୍ତି ଜଙ୍ଗଲି ଜନ୍ତୁ । ବିଶେଷ କରି ମାଙ୍କଡ ପହ୍ଲ ଲୋକ ଗହଳିକୁ ପଶିଆସୁଛନ୍ତି । ଏଭଳି ସ୍ଥଳେ ଚନ୍ଦ୍ରପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଶୋଷରେ ଛଟପଟ ହେଉଥିବା ଏକ ମାଙ୍କଡ ଛୁଆ ପାଣି ପିଇବାକୁ ଯାଇ ପାଣି ଥିବା ଏକ ଲୋଟାଭିତରେ ମୁହଁ ପୁରାଇଥିଲା । ହେଲେ ପାଣି ପିଉପିଉ ଏହା ଭିତରେ ତା’ର ମୁହଁ ଫସିଯାଇଥିଲା । ସତ ଚେଷ୍ଟା ସତ୍ତେ୍ୱ ଏଥିରୁ ମହଁ ବାହାରିନଥିଲା । ଏହାକୁ ମା’ ମାଙ୍କଡ ମଧ୍ୟ ବାହାର କରିବାକୁ ଚେଷ୍ଟା କରିଥିଲା । ହେଲେ କିଛି ଲାଭ ହୋଇନଥିଲା । ଏହାପରେ ତା’ ପାଖକୁ ଚାଲିଆସିଥିଲେ ପୁରା ମାଙ୍କଡ ପହ୍ଲ । ସମସ୍ତେ ମିଶି ପିଲା ମାଙ୍କଡ ମୁହଁରୁ ଲୋଟା କାଢିବାକୁ ଚେଷ୍ଟା କରିଥିଲେ । ଅସହାୟ ମା’ ମାଙ୍କଡ ନିଜ ଛୁଆକୁ ପେଟରେ ଜାକି ଘଣ୍ଟା ଘଣ୍ଟା ବୁଲିଥିଲା । ସତେ ଯେପରି ସମସ୍ତଙ୍କୁ ତା’ ପିଲାକୁ ବଞ୍ଚାଇବାକୁ ଗୁହାରୀ କରୁଥିଲା । ଏପରି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା । ଲୋକେ ଫରେଷ୍ଟ ଡିପାର୍ଟମେଣ୍ଟକୁ ଫୋନ କରି ଜଣାଇବାରୁ ବନ ବିଭାଗର ପୁରା ଟିମ୍ ଆସି ପହଞ୍ଚିଥିଲା । ହେଲେ ମାଙ୍କଡ ଛୁଆକୁ ବଞ୍ଚାଇବା ଏତେ ସହଜ ନଥିଲା ।

ଅନେକ ସମୟଧରି ଲୋଟା ଭିତରେ ଅଣନିଃଶ୍ୱାସୀ ହୋଇ ଛଟପଟ ହେଉଥିଲା ଛୁଆ ମାଙ୍କଡ । ହେଲେ ପାଖରେ ଅନେକ ମାଙ୍କଡ ଜଗି ବସିଥିବାରୁ ତାକୁ ଉଦ୍ଧାର କରାଯାଇଥିଲା । ଏଥିପାଇଁ ବିଶେଷ ରଣନୀତି ଅପଣାଇଥିଲା ବନବିଭାଗ । ଲାଠି ଧରି ମାଙ୍କଡଙ୍କୁ ଘଉଡାଇବା ସହ ଏକ ପଞ୍ଜୁରୀ ବସାଯାଇଥିଲା ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ରଖାଯାଇଥିଲା । ଦୀର୍ଘ ଘଣ୍ଟାର ମସକତ୍ ପରେ ଛୁଆ ମାଙ୍କଡକୁ ଆୟତ୍ତ କରାଯାଇ କଟରରେ ଅତି ସତର୍କତାର ସହ ଲୋଟାକୁ କଟାଯାଇ ତାର ଜୀବନ ବଞ୍ଚାଇବାକୁ ସଫଳ ହୋଇଥିଲା ବନ ବିଭାଗ ।