ବୀର ଶହୀଦଙ୍କୁ ଅସମ୍ମାନ । କୋରିୟରରେ ପଠାହେଲା ‘ଶୌର୍ଯ୍ୟ ଚକ୍ର’ । କ୍ଷୋଭରେ ଫେରାଇ ଦେଲେ ବାପା, ମା’ ।

1,459

କନକ ବ୍ୟୁରୋ: ଦେଶକୁ ସୁରକ୍ଷା ଦେବାକୁ ଯାଇ ପ୍ରାଣବଳୀ ଦେଇଥିବା ଜଣେ ବୀର ସହିଦଙ୍କୁ ଭାରତ ସରକାରଙ୍କ ଅସମ୍ମାନ । ଶହୀଦଙ୍କ ବଳିଦାନକୁ ସମ୍ମାନ ଦେବାକୁ ଯାଇ ମରେଣୋତ୍ତର ଭାବେ ଦିଆଯାଇଥିବା ‘ଶୌର୍ଯ୍ୟ ଚକ୍ର’ ସମ୍ମାନକୁ କୋରିୟରରେ ପଠାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ।

୨୦୧୭ ରେ କାଶ୍ମୀରରେ ଦେଶକୁ ସୁରକ୍ଷା ଦେବା ସମୟରେ ଜଣେ ସାହସୀ ସୈନିକ ତାଙ୍କର ସର୍ବୋଚ୍ଚ ବଳିଦାନ ଦେଇଥିଲେ। ସାହସୀ ସୈନିକଙ୍କ ଏହି ସାହସିକତା ଉପରେ ସରକାର ଶୌର୍ଯ୍ୟ ଚକ୍ରକୁ ମରଣୋତ୍ତର ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ଶୌର୍ଯ୍ୟ ଚକ୍ରକୁ କୋରିୟର ଦ୍ୱାରା ସହିଦଙ୍କ  ବାପା, ମା’ଙ୍କ ପାଖକୁ ପଠାଯାଇଥିଲା । କେନ୍ଦ୍ର ସରକାରଙ୍କ ଏପରି ବ୍ୟବହାର ଶହୀଦଙ୍କ ବାପା, ମା’ଙ୍କ ମନକୁ  ଆଘାତ ଦେଇଥିଲା । କ୍ଷୋଭରେ ସେମାନେ  ଶୌର୍ଯ୍ୟ ଚକ୍ର ଫେରାଇ ଦେଇଛନ୍ତି  । ଏବଂ ରାଷ୍ଟ୍ରପତି ଭବନରେ ସଜାଇ ରଖିବାକୁ ସରକାରଙ୍କୁ ଦାବି କରିଛନ୍ତି ।। ଶହୀଦଙ୍କ ବାପା ମୁକିମ ସିଂ ଭଡୋରିଆ ତାଙ୍କ ପୁଅକୁ ମରଣୋତ୍ତର ଭାବରେ ଦିଆଯାଇଥିବା ଶୌର୍ଯ୍ୟ ଚକ୍ରକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

ସୂଚନା ମୁତାବକ, ୨୦୧୭ ରେ କାଶ୍ମୀରରେ ଡ୍ୟୁଟି ସମୟରେ ମୁକିମ ସିଂ ଭଡୋରିଆଙ୍କ ପୁଅ ଗୋପାଳ ସିଂ ଶହୀଦ ହୋଇଥିଲେ। ଲାନ୍ସ ନାୟକ ସହିଦ ଗୋପାଳ ବାହାଦୁର ଜଣେ ଯବାନ ଥିଲେ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ତାଙ୍କର ବିଶିଷ୍ଟ ଭୂମିକା ପାଇଁ ତାଙ୍କୁ ବିଶିଷ୍ଟ ସେବା ପଦକ ମଧ୍ୟ ପ୍ରଦାନ କରାଯାଇଥିଲା। କୁହାଯାଉଛି ଶହୀଦ  ଗୋପାଳ ସିଂହଙ୍କ ପତ୍ନୀ ତାଙ୍କ ଠାରୁ ଅଲଗା ରହୁଥିଲେ  । ଯେତେବେଳେ ଗୋପାଳ ସିଂ ଶହୀଦ ହେଲେ ତାଙ୍କର ସମସ୍ତ ପ୍ରାପ୍ୟ ପାଇବାକୁ କୋର୍ଟରେ ମାମଲା ଦାଏର କଲେ ତାଙ୍କ ପତ୍ନୀ । ହେଲେ ଶହୀଦଙ୍କ ବାପା, ମା’ଙ୍କର ଶେଷରେ ବିଜୟ ହୋଇଥିଲା । ଶହୀଦଙ୍କ ପତ୍ନୀ ଓ ଅଭିଭାବକଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ଏଯାଏଁ ତାଙ୍କୁ ମରଣୋତ୍ତର ‘ଶୌର୍ଯ୍ୟ ଚକ୍ର’ ସମ୍ମାନ ଦିଆଯାଇନଥିଲା । ଅନ୍ତତଃ ତାଙ୍କ ବାପା, ମା’ଙ୍କୁ ଏହା ଦିଆନଯାଇ ସମ୍ମାନକୁ କୋରିୟରରେ ପରିବାର ଲୋକଙ୍କୁ ପଠାଇବାକୁ ନେଇ ବାପା, ମା’ଙ୍କ ମନରେ ଆଘାତ ଲାଗିଛି । ଏହାକୁ ବୁଦ୍ଧିଜୀବି ମହଲରେ ମଧ୍ୟ ନିନ୍ଦା କରାଯାଇଛି ।