ବାର୍ଦ୍ଧକ୍ୟ ଭତ୍ତା ପାଇଁ ଗୁରୁଣ୍ଡିଲେ ଫୁଲବାଣୀର ଯଶୋଦା: ଗାଁରୁ ୩୫ କିଲୋମିଟର ଦୂର ଯିବାକୁ ଅସମର୍ଥ ୮୨ ବର୍ଷିୟ ବୃଦ୍ଧା

181

କନକ ବ୍ୟୁରୋ: ୨ ମାସ ହେଲାଣି ବାର୍ଦ୍ଧକ୍ୟ ଭତା ନପାଇ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ୮୨ ବର୍ଷୀୟ ବୃଦ୍ଧା । ଏ କାହାଣୀ ହେଉଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଡା ଗାଁର ଯଶୋଦା ରଣା । ଶାରୀରିକ ସମସ୍ୟା ଏବଂ ବୟସାଧିକ କାରଣରୁ ସେ ବାର୍ଦ୍ଧକ୍ୟ ଭତା ପାଇଁ ବ୍ୟାଙ୍କକୁ ଯାଇପାରୁନାହାନ୍ତି । ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିବା ଏହି ବୃଦ୍ଧା ବ୍ୟାଙ୍କ ଯାଇ ଭତା ଟଙ୍କା ଆଣିବା ତାଙ୍କ ପାଇଁ ସମ୍ଭବ ହେଉନାହିଁ । ତେଣୁ ସେ ବାର୍ଦ୍ଧକ୍ୟ ଭତା ବଂଚିତ ରହିଛନ୍ତି । ଇନ୍ଦିରାଗାନ୍ଧି ରଷ୍ଟ୍ରୀୟ ପେନସନ ଯୋଜନା ଅନଲାଇନ କରିବା ବାଧ୍ୟତାମୂଳକ ହୋଇଥିବାରୁ ବାର୍ଦ୍ଧକ୍ୟ ଭତା ଟଙ୍କା ଏବେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ଯାଉଛି ।

ବ୍ୟାଙ୍କକୁ ଯାଇ ଟଙ୍କା ଆଣିବା ଯଶୋଦାଙ୍କ ପାଇଁ ସମ୍ଭବ ହେଉନାହିଁ । ୭୦୦ ଟଙ୍କା ବାର୍ଦ୍ଧକ୍ୟ ଭତା ଆଣିବା ପାଇଁ ଘର ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବା ଫିରିଙ୍ଗିଆକୁ ଯିବାକୁ ପଡିବ । ଯାହା ଏହି ୮୨ ବର୍ଷର ବୃଦ୍ଧାଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ । ଦୁଇ ମାସ ପୂର୍ବରୁ ତାଙ୍କ ପୁଅ ବାର୍ଦ୍ଧକ୍ୟ ଭତା କାର୍ଡ ନେଇ ପଂଚାୟତ କାର୍ଯ୍ୟଳୟକୁ ଯାଉଥିଲେ ଏବଂ ପଂଚାୟତ ଅଧିକାରୀଙ୍କ ଠାରୁ ଭତା ଟଙ୍କା ଆଣୁଥିଲେ । କିନ୍ତୁ ବର୍ତମାନ ବୃଦ୍ଧାଙ୍କ ଭତା ଟଙ୍କା ଆଉ ପଂଚାୟତ କାର୍ଯ୍ୟଳୟରେ ମିଳୁନାହିଁ, କୌଣସି ଏକ ବ୍ୟାଙ୍କ ଖାତାକୁ ଯାଉଛି । ଯାହା ବାବଦରେ ହିତାଧିକାରୀ ମଧ୍ୟ ଜାଣିପାରୁନାହାନ୍ତି, ତେଣୁ ଦୁଇ ମାସ ହେଲାଣି ବୃଦ୍ଧା ଜଣଙ୍କ ବାର୍ଦ୍ଧକ୍ୟ ଭତା ପାଇନାହାନ୍ତି ଯଶୋଦା ।