‘କୁତବ ମୀନାରରେ ପୂଜା ପାଇଁ ଅନୁମତି ମିଳିପାରିବ ନାହିଁ’। ସପକ୍ଷବାଦୀଙ୍କ ଆବେଦନକୁ ବିରୋଧ କଲା ଏଏସଆଇ

93

କନକ ବ୍ୟୁରୋ: ଦିଲ୍ଲୀ ସ୍ଥିତ କୁତବ ମୀନାର ପରିସରରେ ହିନ୍ଦୁ ଦେବାଦେବୀଙ୍କ ପୁନଃସ୍ଥାପନ ସହ ପୂଜାର୍ଚ୍ଚନା କରିବା ଅଧିକାରକୁ ଅଗ୍ରାହ୍ୟ କରିଛି ଏଏସଆଇ । କୁତବମୀନାର ପରିସରରେ ପୁଣି ଥରେ ପୂଜାର୍ଚ୍ଚନା କରିବାକୁ ସପକ୍ଷବାଦୀ ସାକେତ କୋର୍ଟରେ ଆବେଦନ କରିଥିଲେ । ହେଲେ ଏଥିପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କହିବା ସହ ଏହି ଆବେଦନକୁ ଖାରଜ କରିବାକୁ କୋର୍ଟଙ୍କୁ ଅପିଲ କରିଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ।

ସପକ୍ଷବାଦୀଙ୍କ ଆବେଦନକୁ ବିରୋଧ କରି ଏଏସଆଇ ପକ୍ଷରୁ ମଧ୍ୟ ଏକ ପାଲଟା ଆବେଦନପତ୍ର ଦାଖଲ କରାଯାଇଛି । ଏଏସଆଇର ଯୁକ୍ତି ମୁତାବକ, କୁତବ ମୀନାର ଏକ ଜାତୀୟ ସ୍ମାରକୀ । ଏହା ଜାତୀୟ ସ୍ମାରକୀ ଆକ୍ଟ ଅଧିନରେ ଏକ ସଂରକ୍ଷିତ ସ୍ମାରକୀ । ୧୯୧୪ ରେ ଯେତେବେଳେ ଏହାକୁ ଅଧିଗ୍ରହଣ କରାଗଲା ସେତେବେଳେ ଏଠାରେ କୌଣସି ହିନ୍ଦୁ ପଜାର୍ଚ୍ଚନା କରୁନଥିଲେ । ତେଣୁ ନିୟମ ଅନୂଯାୟୀ, ଏବେ ଏହି ସ୍ଥିତିରେ ପରିବର୍ତ୍ତନ କରିବା ଠିକ୍ ନୁହେଁ । ତେଣୁ ଜାତୀୟ ସ୍ଥିରତା ଦୃଷ୍ଟିରୁ ଏଠାରେ ହିନ୍ଦୁ ମାନଙ୍କୁ ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ତେଣୁ ସପକ୍ଷବାଦୀଙ୍କ ଏପରି ଆବେଦନକୁ ଖାରଜ କରିବାକୁ ଏଏସଆଇ ମାନ୍ୟବର କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

ସୂଚନା ମୁତାବକ, କୁତବ ମୀନାର ପରିସରରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ମହଜୁଦ ଅଛି । ଏଠାରେ ଶ୍ରୀଗଶେଶଙ୍କ ମୂର୍ତ୍ତି ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏହି ଦୃଷ୍ଟିରୁ ମୀନାର ପରିସରରେ ହିନ୍ଦୁ ମୂର୍ତ୍ତି ଗୁଡିକୁ ପୁନଃ ପ୍ରତିଷ୍ଠା କରିବା ସହ ପୂଜା କରିବାକୁ ଅନୂମତି ଦିଆଯାଉବୋଲି ହିନ୍ଦୁ ସଙ୍ଗଠନ ପକ୍ଷରୁ ଆବେଦନ ଦାଖଲ କରାଯାଇଥିଲା ।