ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ ସାଲୁବାଲୁ ,ନବରଙ୍ଗପୁର ନନ୍ଦାହାଣ୍ଡିରେ ପିଲାଙ୍କୁ ଖାଇବାକୁ ଦିଆଯାଉଛି ପୋକରା ଚାଉଳ ।

38

କନକବ୍ୟୁରୋ:ଦେଖନ୍ତୁ ଏହି ଚାଉଳକୁ । ପୋକ ସାଲୁବାଲୁ । ଅଧାରୁ ଅଧିକ ଚାଉଳରେ ପୋକ ହୋଇ, ତାର ରଂଗ ବଦଳିଯାଇଛି । କିନ୍ତୁ ବିଡମ୍ବନାର ବିଷୟ ହେଉଛି ଏହି ଚାଉଳକୁ ରୋଷେଇ କରି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦଳେଇଗୁଡା ପ୍ରାଥମିକ ବିଦ୍ୟାଳୟରେ । ପିଲାଙ୍କୁ ଏଭଳି ଚାଉଳ ଦିଆଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶ୍ନ ଉଠାଇଛି ପରିଚାଳନା କମିଟି ।

ତେବେ ଏଥିପାଇଁ ଚାଉଳ ଯୋଗାଉଥିବା ସଂସ୍ଥାକୁ ଦୋଷ ଦେଇଛନ୍ତି ରୋଷେଇ ଦାୟିତ୍ୱ ନେଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ । ଚାଉଳ ବସ୍ତା ଉପରେ ନଜର ପକାନ୍ତୁ । ବସ୍ତାରେ ୨୦୨୨-୨୩ ଲେଖାଯାଇଛି । ତେବେ ପ୍ରଶ୍ନ ଉଠୁଛି, ୨୦୨୨-୨୩ରେ ପ୍ୟାକିଂ ହୋଇଥିବା ଚାଉଳକୁ ୨୦୨୪ରେ କେମିତି ଯୋଗାଣ କରାଯାଉଛି ।

କୌଣସି ପଶୁ ଖାଇବାକୁ ଯୋଗ୍ୟ ନଥିବା ଚାଉଳକୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ କେମିତି ଦିଆଗଲା । ତେବେ ଅଭିଯୋଗ ପାଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ନନ୍ଦାହାଣ୍ଡି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପହଁଚି ତଦନ୍ତ କରିଛନ୍ତି । ଏବଂ ଚାଉଳରେ ପୋକ ଥିବା କଥାକୁ ସ୍ୱୀକାର କରିଛନ୍ତି । ନବରଂଗପୁର ଖୋଦ ଗଣଶିକ୍ଷାବିଭାଗ ମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାରୁ, ସେ ନିଜେ ଏହାର ତଦନ୍ତ କରି, ଚାଉଳ ଯୋଗାଇଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।