କିଡନୀ ପ୍ରତିରୋପଣ କରିବାରେ କାହିଁକି ବିଫଳ ହେଲା ରାଜ୍ୟର ସବୁଠୁ ବଡ ମେଡିକାଲ କଲେଜ । ଏସସିବି ଡିନ୍ ଓ ସୁପରିଟେଣ୍ଡେଣ୍ଟଙ୍କୁ ରିପୋର୍ଟ ମାଗିଲେ ଡିଏମଇଟି

ଏସସିବିରୁ ଫେରିଆସିବା ପରେ ଆପୋଲୋରେ ହୋଇଥିଲା କିଡନୀ ପ୍ରତିରୋପଣ

122

କନକ ବ୍ୟୁରୋ: କାହିଁକି କିଡନୀ ପ୍ରତିରୋପଣ କିରବାରେ ବିଫଳ ହେଲା ଓଡିଶାର ସର୍ବବୃହତ ଏସସିବି ମେଡିକାଲ କଲେଜ୍, ତାର ଷ୍ଟାଟସ ରିପୋର୍ଟ ମାଗିଛନ୍ତି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି । ତୁରନ୍ତ କାରଣ ଦର୍ଶାଇବା ପାଇଁ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ କହିଛନ୍ତି ଡିଏମଇଟି । ବୁଧବାର ୫ ବର୍ଷୀୟ ସୁଧାଂଶୁଙ୍କ କିଡନୀ ପ୍ରତିରୋପଣ ପାଇଁ କଟକ ବଡ ମେଡିକାଲ ପହଁଞ୍ଚିଥିଲା ହେଲେ ମାତ୍ର ଏକ ଘଣ୍ଟା ପରେ ତାହା ପୁନଃ ଭୁବନେଶ୍ୱର ଫେରି ଆସିଥିଲା । ତେବେ ଏହା ପଛର ପ୍ରକୃତ ସତ କଣ, ତାହା ଜାଣିବା ପାଇଁ ରିପୋର୍ଟ ତଲବ କରିଛନ୍ତି ଡିଏମଇଟି ।

  • ଏସସିବିରେ କିଡନୀ ପ୍ରତିରୋପଣ ବିଫଳ ଅଭିଯୋଗ
  • ଏସସିବି ସୁପରିଟେଣ୍ଡେଣ୍ଟଙ୍କୁ ରିପୋର୍ଟ ମାଗିଲେ ଡିଏମଇଟି

ଦାନରେ ଆସିଥିବା କିଡନୀକୁ ରୋଗୀଙ୍କ ଦେହରେ ପ୍ରତିରୋପଣ କରିବାରେ କାହିଁକି କଟକ ବଡ଼ ମେଡିକାଲ ଫେଲ୍ ମାରିଲା, ମେଡିକାଲ୍ ସୁପରିଟେଣ୍ଡେଣ୍ଟଙ୍କୁ ରିପୋର୍ଟ ମାଗିଛନ୍ତି ଡିଏମଇଟି ବା ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ ଡାକ୍ତର ରମାରମଣ ମହାନ୍ତି । ସାଢ଼େ ୫ ବର୍ଷର ଶିଶୁର ବ୍ରେନ୍ ଡେଡ୍ ହେବା ପରେ ତାଙ୍କ ବାପା-ମାଆ ପିଲାର ଦୁଇଟି ଯାକ କିଡନୀ ଦାନ କରିଥିଲେ । ହେଲେ ରାଜ୍ୟର ସବୁଠୁ ବଡ଼ ମେଡିକାଲ କଲେଜ୍ ଏସସିବି, କିଡନୀ ପ୍ରତିରୋପଣରେ ବିଫଳ ହୋଇଥିବା ଅଭିଯୋଗ ହୋଇଥିଲା । ଶେଷରେ ଦୁଇଟି ଯାକ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା ଘରୋଇ ହସପିଟାଲରେ ।

ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେବେ କଟକ ବଡ଼ ମେଡିକାଲର ବିଭାଗୀୟ ମୁଖ୍ୟ ଡାକ୍ତର ମାନସ ସ୍ୱାଇଁ କହିଥିଲେ କିଡନୀ ମେଳ ନଖାଇବାରୁ ଫେରାଇ ଦିଆଯାଇଥିଲା । ପ୍ରକୃତରେ ସତ କଣ, ଜାଣିବା ପାଇଁ ରିପୋର୍ଟ ତଲବ କରିଛନ୍ତି ଡିଏମଇଟି ।

କଟକ ବଡ଼ ମେଡିକାଲ ଉପରେ ରାଜ୍ୟର ଲକ୍ଷ ଲକ୍ଷ ଲୋକ ନିର୍ଭର କରିଥାନ୍ତି । କିଡନୀ ପ୍ରତିରୋପଣ ପାଇଁ ଅନେକ ରୋଗୀ ଅପେକ୍ଷା କରି ରହିଛନ୍ତି । କିଡନୀ ମିଳିବା କଷ୍ଟକର ବ୍ୟାପାର ହୋଇଥିବା ବେଳେ ମେଡିକାଲକୁ ଆସିଥିବା କିଡନୀ ଫେରିଯିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସବୁଠୁ ବଡ଼ କଥା ହେଉଛି ଦୁଇଟି ଯାକ କିଡନୀ ଘରୋଇ ହସପିଟାଲରେ କିଛି ଘଣ୍ଟା ମଧ୍ୟରେ ପ୍ରତିରୋପଣ ହୋଇ ପାରିଥିଲା ।

ଭୁବନେଶ୍ୱର କିମସ ହସପିଟାଲରେ ସାଢେ ୫ ବର୍ଷୀୟ ଶିଶୁ ସୁଧାଂଶୁର ବ୍ରେନଡେଡ୍ ହେବା ପରେ ପିଲାର କିଡନୀ ଦାନ କରିଥିଲେ ବାପା-ମାଆ । କିଡନୀ କଢ଼ାଯାଇ ପ୍ରଥମେ କଟକ ବଡ଼ ମେଡିକାଲକୁ ଅଣା ଯାଇଥିଲା, ସେଠରେ ପ୍ରତିରୋପଣ ନହୋଇପାରିବାରୁ ପୁଣି ଭୁବନେଶ୍ୱର ଫେରି ଯାଇଥିଲା । ଏସସିବି ମେଡିକାଲ କଲେଜକୁ ଏମ୍ସ-ପ୍ଲସ ହସ୍ପିଟାଲ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଥିବା ବେଳେ ଏଭଳି କାହିଁକି ହେଲା ଏହା ସନ୍ଦେହ ସୃଷ୍ଟି କରିଛି । କିଡନୀ ମେଳ ହୋଇନଥିବା ନେଇ ବିଭାଗୀୟ ମୁଖ୍ୟ ଯାହା କହିଛନ୍ତି, ତାହା ଏକମାତ୍ର କାରଣ ନା’ ଅବହେଳା ଓ ଦାୟିତ୍ୱହୀନତା ନେଇ ଯେଉଁ ଅଭିଯୋଗ ଆସୁଛି, ତାହା ଠିକ୍, ଏହା ସ୍ପଷ୍ଟ ହେବା ଜରୁରୀ ହୋଇ ପଡିଛି ।