ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେଇଥିଲା କିଏ ? ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳା କାହାଣୀ

5,805

କନକ ବ୍ୟୁରୋ : ଜଣେ ସରକାରୀ କୋଟି କୋଟି ଟଙ୍କା ଠୁଳ କଲେ କେମିତି? ଆୟରୁ ୫ଶହ ଗୁଣ ସମ୍ଭବ ହେଲା କେମିତି? ଏକାଧିକ ଥର ଗିରଫ ହୋଇଥିଲେ ସୁଦ୍ଧା ଏତେ ବଡ଼ ପଦବୀରେ ଥିଲେ କେମିତି? ନବରଙ୍ଗପୁର ଭାରପ୍ରାପ୍ତ ଅତିରିକ୍ତ ଉପଜିଲ୍ଲାପାଳ, ଗିରଫ ହେବା ପରେ ଏନେଇ ସାଧାରଣରେ ଏଭଳି କିଛି ପ୍ରଶ୍ନ ଉଙ୍କି ମାରୁଛି ।

ଭିଜିଲାନ୍ସ କେତେ ଖୋଳୁଛି, ସଂପତିର ଚେର ସେତେ ଲମ୍ବିଛି । ଦୁର୍ନୀତିର ଚେର କେତେ ଲମ୍ବା ତାର ଗୋଟିଏ ପରେ ଗୋଟିଏ କାହାଣୀ ସାମ୍ନାକୁ ଆସିବାରେ ଲାଗିଛି । ପ୍ରଶାନ୍ତ କୁମାର ରାଉତଙ୍କ ଚାକିରି କାଳରେ ଭିଜିଲାନ୍ସ ଜାଲରେ ଛନ୍ଦି ହେବା ନୁଆଁ ଘଟଣା ନୁହଁ । ନଜର ପକାନ୍ତୁ ପ୍ରଶାନ୍ତ ରାଉତଙ୍କ କିଛି କଳାକାରନାମା ଉପରେ ।

ପୂର୍ବରୁ ୨୦୧୦ ମସିହାରେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ବିଡ଼ିଓ ଥିଲାବେଳେ ୫୪୭ ବସ୍ତା ପିଡ଼ିଏସ ଚାଉଳ ବିକ୍ରି ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଶାନ୍ତ । ୨୦୧୮ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ବିଡ଼ିଓ ଥିବାବେଳେ ମଧ୍ୟ ତାଙ୍କ ନାଁରେ ଆସିଥିଲା ସାଂଘାତିକ୍ ଅଭିଯାଗ । ଝିରପାଣି ପଂଚାୟତର ଏକ ୧୧ ଲକ୍ଷ ୫ ହଜାର ଟଙ୍କାର ଉନ୍ନୟନ କାର୍ଯ୍ୟ ବିଲ୍ ପାସ ପାଇଁ ପିଇଓଙ୍କ ଠାରୁ ଦାବି ମୁତାବକ ଏକ ଲକ୍ଷ ଟଙ୍କା ଲାଂଚ ନେଇ ଗିରଫ ହୋଇ ଜେଲ ଯାଇଥିଲେ । ପ୍ରଶ୍ନ ଉଠୁଛି ଯେତେବେଳେ ଏମିତି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ପୂର୍ବରୁ ଦୁଇଦୁଇ ଥର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ, ତାଙ୍କୁ ପୁଣି ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଥିଲା କାହିଁକି ? ଏଭଳି ଜଣେ ଅସାଧୁ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ କିଏ ସାଜିଥିଲା ସୁରକ୍ଷା କବଚ ?