କେବେ ଖୋଲିବ ରତ୍ନଭଣ୍ଡାର? ତାରିଖ ଘୋଷଣା କରିବେ ସରକାର

55

କନକ ବ୍ୟୁରୋ: କେବେ ଖୋଲିବ ରତ୍ନଭଣ୍ଡାର । ଏ ନେଇ ତାରିଖ ଘୋଷଣା କରିବେ ରାଜ୍ୟ ସରକାର । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଆସନ୍ତା ୪ ତାରିଖରେ ଓଡିଶା ଆସୁଛନ୍ତି। ଆକଳନ କରାଯାଉଥିଲା, ଆସନ୍ତା ୮ ତାରିଖରୁ ୨୭ ତାରିଖ ଯାଏଁ ରତ୍ନଭଣ୍ଡାର କାମ ଚାଲିବ। ତେବେ ଆଇନ ମନ୍ତ୍ରୀ କହିଛନ୍ତି, ଏ ନେଇ ମୋଡାଲିଟି ପ୍ରସ୍ତୁତ କରାଯିବା ସହ ଦିନେ ଦୁଇଦିନ ମଧ୍ୟରେ ତାରିଖ ଘୋଷଣା ହେବ । ପୁରୀ ଗଜପତି ବି କହିଛନ୍ତି, ରତ୍ନଭଣ୍ଡାର ଖୋଲି ଏହାର ଯାଂଚ କରିବା ସହ ଏଥିରେ ଥିବା ଅଳଙ୍କାରର ଗଣତି ମଣତି ହେବା ଜରୁରୀ ।

ରତ୍ନଭଣ୍ଡାର ଖୋଲିବା ଓ ଗଣତି ମଣତି କରିବାକୁ ନିର୍ବାଚନୀ ପ୍ରସଙ୍ଗ କରିଥିଲା। ବିଜେପି ସରକାର ଗଢ଼ିବା ପରେ କେବେ ରତ୍ନଭଣ୍ଡାର ଖୋଲିବ, ଏହାକୁ ଅପେକ୍ଷା କରି ରହିଛନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ। ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବା ଉପଯୁକ୍ତ ସମୟ କୁହାଯାଉଥିବା ବେଳେ କିଛି ଦିନ ତଳେ ଏଏସ୍ଆଇ ପକ୍ଷରୁ ଇସାରା ଦିଆଯାଇଥିଲା। ସେହିପରି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଆସନ୍ତା ୪ ତାରିଖରେ ଓଡିଶା ଆସୁଛନ୍ତି। ତାଙ୍କର କାର୍ୟ୍ୟସୂଚୀରୁ ଆକଳନ କରାଯାଉଥିଲା, ଆସନ୍ତା ୮ ତାରିଖରୁ ୨୭ ତାରିଖ ଯାଏଁ ରତ୍ନଭଣ୍ଡାର କାମ ଚାଲିବ। ଏହିସବୁ ଆକଳନ ଚାଲିଥିବା ବେଳେ ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତିା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,
ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆ ସରିଛି
ମୋଡାଲିଟି ପ୍ରସ୍ତୁତ କରାଯିବା ସହ ଦିନେ ଦୁଇଦିନ ମଧ୍ୟରେ ତାରିଖ ଘୋଷଣା ହେବ
ତାରିଖ ନେଇ ଯାହା ପ୍ରଚାର ହେଉଛି, ତାହା ଗୁଜବ
ଗୁଜବକୁ ବିଶ୍ବାସ ନକରିବାକୁ ଅପିଲ କରିଛନ୍ତି ପୃଥ୍ବୀରାଜ।

ରତ୍ନଭଣ୍ଡାର ସହ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ଯୋଡ଼ି ହୋଇ ରହିଛି। ପାଖାପାଖି ୪୬ ବର୍ଷ ହେଲା ରତ୍ନଭଣ୍ଡାର ଖୋଲା ଯାଇନାହିଁ। ରତ୍ନଭଣ୍ଡାର ଖୋଲି ଏହାର ଯାଂଚ କରିବା ସହ ଏଥିରେ ଥିବା ଅଳଙ୍କାରର ଗଣତି ମଣତି ହେବା ଜରୁରୀ ହୋଇ ପଡ଼ିଛି। ଗଜପତି ଦିବ୍ୟସିଂହ ଦେବ ମଧ୍ୟ ଅନୁରୂପ ମତ ଦେଇଛନ୍ତି।

୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲିଥିଲା। ଭିତର ଓ ବାହାର ରତ୍ନଭଣ୍ଡାରରେ ଥିବା ସାମଗ୍ରୀର ତାଲିକା ପ୍ରସ୍ତୁତ କରାଯାଇଥିଲା। କିଛି ଗବେଷକଙ୍କ ତଥ୍ୟ ଅନୁସାରେ
ମୂଲ୍ୟବାନ ରତ୍ନପଥର ସହ ସୁନାରେ ତିଆରି ଆଭୂଷଣର ଓଜନ ୧୪୯ କିଲୋଗ୍ରାମରୁ ଅଧିକ ଥିଲା
ସେହିପରି ରୁପାରେ ନିର୍ମିତ ସାମଗ୍ରୀର ଓଜନ ୨୫୮ କିଲୋରୁ ଅଧିକ ରହିଥିଲା
ବିଭିନ୍ନ କାରଣରୁ କିଛି ସାମଗ୍ରୀର ଓଜନ କରାଯାଇ ପାରିନଥିଲା
ଶ୍ରୀମନ୍ଦିରରେ ତିନିଟି ରତ୍ନଭଣ୍ଡାର ରହିଛି।

ଶ୍ରୀଜିଉମାନଙ୍କ ଦୈନନ୍ଦିନ ନୀତିକାନ୍ତି ଆଦି ପାଇଁ ଯେଉଁ ସୁନା, ରୁପା ଓ ଅନ୍ୟ ସାମଗ୍ରୀ ବ୍ୟବହାର କରାଯାଏ, ତାହା ଚଳନ୍ତି ଭଣ୍ଡାରରେ ରହିଥାଏ ସୁନାବେଶ ଓ ବିଭିନ୍ନ ପର୍ବପର୍ବାଣୀରେ ଯେଉଁ ସବୁ ଅଳଙ୍କାର ବ୍ୟବହୃତ ହୁଏ, ତାହା ବାହାର ଭଣ୍ଡାରରେ ରଖାଯାଇଥାଏ ।

ଭିତର ରତ୍ନଭଣ୍ଡାରରେ ମୂଲ୍ୟବାନ ରତ୍ନ ସହ ସୁନା ଓ ରୁପାରେ ନିର୍ମିତ ସାମଗ୍ରୀ ରହିଥାଏ । ଭିତର ରତ୍ନଭଣ୍ଡାର ଦୀର୍ଘ ବର୍ଷ ଧରି ଖୋଲାଯାଇନାହିଁ। ୨୦୧୮ ମସିହାରେ ଭିତର ରତ୍ନଭଣ୍ଡାର ଯାଂଚ ପାଇଁ ପ୍ରୟାସ ହୋଇଥିଲା। କିନ୍ତୁ ଚାବି ନମିଳିବାରୁ ବାହାର ପଟୁ ଯାଂଚ କରି ଫେରି ଆସିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।