ଖରାଦିନେ ଉତ୍କଟ ହେଉଛି ପାଣି ସମସ୍ୟା: ଗାଁରେ ପାଣି ଟାଙ୍କି ବସିଛି ହେଲେ ମିଳୁନି ବିଶୁଦ୍ଧ ପାଣି

65

କନକ ବ୍ୟୁରୋ: ଖରାଦିନେ ଉତ୍କଟ ହେଉଛି ପିଇବା ପାଣି ସମସ୍ୟା । ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏହାର ବାସ୍ତବତା ସମ୍ପୁର୍ଣ୍ଣ ଅଲଗା ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଗାଁରେ ପାଣି ଟାଙ୍କି ବସିଛି କିନ୍ତୁ ଲୋକଙ୍କ କାମରେ ଆସୁନି । ଗଜପତି ଜିଲ୍ଲା ଗୁମ୍ମା ପଂଚାୟତ ଆଶ୍ରଗଡ଼ରେ ପ୍ରାୟ ୫ଶହ ଲୋକ ବସବାସ କରୁଥିବା ବେଳେ ପାଣି ଟୋପେ ପାଇଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଗାଁରେ ଥିବା ଗୋଟିଏ ମାତ୍ର କୂଅ ଖରାଦିନେ ଶୁଖିଲା ପଡ଼ିଛି । ନଳକୂପରୁ ମଧ୍ୟ ପାଣି ବାହାରୁ ନାହିଁ । ଲୋକଙ୍କ ସୁବିଧା ପାଇଁ ନଳକୂପରେ ମଟର ସଂଯୋଗ କରି ୨ଟି ପାଣି ଟାଙ୍କି ନିର୍ମାଣ କରାଯାଇଛି । କିନ୍ତୁ ସେଥିରୁ ପାଣି ବାହାରୁନାହିଁ । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଟଙ୍କା ଆତ୍ମସାତ୍ କରାଯାଇଥିବା ଲୋକେ ଅଭିଯୋଗ ଆଣିଛନ୍ତି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୪ କିଲୋମିଟର ଦୁରରେ ଥିବା ଏହି ଗାଁରେ ଦୀର୍ଘ ଦିନ ହେଲା ପାଣି ସମସ୍ୟା ଲାଗି ରହିଛି । କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ନପଡ଼ିବା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି ।