ଉପେନ୍ଦ୍ର କୁଶବାହାଙ୍କୁ ରାଜ୍ୟସଭା ପଠାଇପାରେ ବିଜେପି । ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ଜାତି ସମୀକରଣ ଠିକ୍ କରିବାକୁ ବିଜେପି ପ୍ଲାନ୍…

685

କନକ ବ୍ୟୁରୋ: ଉପେନ୍ଦ୍ର କୁଶବାହାଙ୍କୁ ରାଜ୍ୟସଭା ପଠାଇପାରେ ବିଜେପି । ବିହାରରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ, କୁଶବାହା ସମ୍ପ୍ରଦାୟର ଭୋଟ୍ ହାତେଇବାକୁ ଉପେନ୍ଦ୍ରଙ୍କୁ ଦଳ ରାଜ୍ୟସଭାକୁ ପଠାଇପାରେ ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି, କୁଶବାହା ସମାଜର ଲୋକଙ୍କୁ ଏକାଠି କରି ସେମାନଙ୍କ ଭୋଟ୍ ହାତେଇବାକୁ ବିଜେପି ବଡ ପ୍ଲାନ୍ କରୁଛି । ଏଥିପାଇଁ ଲୋକସଭା ନିର୍ବାଚନ ହାରିଯାଇଥିବା ଉପେନ୍ଦ୍ର କୁଶବାହାଙ୍କୁ ସଂସଦର ଉଚ୍ଚ ସଦନକୁ ପଠାଯାଇପାରେ ।

ଏଥର ଲୋକସଭା ନିର୍ବାଚନରେ ୟୁପିରେ ବଡ ପରାଜୟ ଭୋଗିଛି ବିଜେପି । ଏହାର କାରଣ ପଛରେ ଜାତି ସମୀକରଣ ଥିବା କୁହାଯାଉଛି । ତେଣୁ ଏହାକୁ ଦେଖି ବିହାରରେ ମଧ୍ୟ ସେହି ସମାନ ଭୁଲ ନ ଦୋହରାଇବାକୁ ବିଜେପି ଚିନ୍ତା କରୁଛି । ତେଣୁ ବିହାରରେ ବିଧାନସଭା ନିର୍ବାଚନକୁ ନିଜ ପକ୍ଷରେ ନେବାକୁ ମୋଟ୍ ଜନସଂଖ୍ୟାର ୪.୨ ପ୍ରତିଶତ କୁଶବାହା ସମ୍ପ୍ରଦାୟ ଉପରେ ଦଳ ନଜର ରଖିଛି ।

ସୂଚନାଯୋଗ୍ୟ ଯେ, ଉପେନ୍ଦ୍ର କୁଶବାହା ଏଥର କାରାକାଟ ଲୋକସଭା ଆସନରୁ ନିର୍ବାଚନ ଲଢି ପରାଜୟ ବରଣ କରିଛନ୍ତି । ତେଣୁ କୁଶବାହା ସମ୍ପ୍ରଦାୟର ଏହି ବଡ ନେତାଙ୍କୁ ରାଜ୍ୟସଭା ପଠାଇ, ବିଧାନସଭା ନିର୍ବାଚନରେ ଏକ ବଡ ସମ୍ପ୍ରଦାୟର ଭୋଟ୍ ହାତେଇବାକୁ ଦଳ ଅଙ୍କ କଷୁଛି । ଏମିତିରେ ବି, ରାଜ୍ୟସଭାର ୧୦ଟି ଖାଲି ଥିବା ଆସନ ପାଇଁ ଭୋଟ୍ ପଡିବାକୁ ଯାଉଛି । ଯେଉଁଥିରେ ବିହାରର ୨ଟି ସିଟ୍ ରହିଛି । ତେଣୁ ଏହି ୨ଟି ଆସନରୁ ଗୋଟିଏ ଆସନରେ ଉପେନ୍ଦ୍ର କୁଶବାହା ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।