ଋଷର ଆଲୋଚନା ପ୍ରସ୍ତାବକୁ ଗ୍ରହଣ କଲା ୟୁକ୍ରେନ, ବେଲାରୁଷ ସୀମାରେ ହେବ ଆଲୋଚନା !

245

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଏକ ଭଲ ଖବର ଆସିଛି । ଋଷ ତରଫରୁ ୟୁକ୍ରେନକୁ ଦିଆଯାଇଥିବା ଆଲୋଚନା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ୟୁକ୍ରେନ ସରକାର । ଏହି କ୍ରମରେ ଋଷର ସମର୍ଥକ ଦେଶ ବେଲାରୁଷ ସୀମାରେ ଏନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି । କହିରଖୁ କି କିଛି ସମୟ ପୂର୍ବରୁ ଋଷର ଆଲୋଚନା ପ୍ରସ୍ତାବକୁ ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି ଅସ୍ୱୀକାର କରିଥିଲେ । ଜେଲେନସ୍କି କହିଥିଲେ କି ଯେଉଁ ଦେଶ ଭିତରେ ରହି ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି ସେହି ଦେଶରେ କିଭଳି ଋଷ ସହ ଆଲୋଚନା ହୋଇ ପାରିବ ।

ସୂଚନା ଥାଉକି ଆଲୋଚନା ପାଇଁ ଋଷ ସ୍ଥିର କରିଥିବା ବେଲାରୁଷ ହେଉଛି ଋଷର ଏକ ସମର୍ଥକ ଦେଶ । ଏହାସହ ଋଷର ୟୁକ୍ରେନ ଉପରେ ଆକ୍ରମଣକୁ ବେଲାରୁଷ ପୂର୍ଣ୍ଣ ସମର୍ଥନ ଜଣାଇ ଆସୁଛି । ସେପଟେ ପଶ୍ଚିମ ଦେଶମାନେ ଋଷ ସହ ବେଲାରୁଷ ଉପରେ ବି ଯୁଦ୍ଧକୁ ନେଇ ବିିଭିନ୍ନ କଟକଣା ଲଗାଇଛନ୍ତି । ତେଣୁ ୟୁକ୍ରେନ ପ୍ରଥମେ ଋଷର ଆଲୋଚନା ପ୍ରସ୍ତାବ ଉପରେ କହିଥିଲା କି ଯଦି ଆଲୋଚନା ହେବ ତେବେ ତୁର୍କୀ , ପୋଲାଣ୍ଡ କିମ୍ବା ଅନ୍ୟ କୌଣସି ଦେଶକୁ ଆଲୋଚନା ପାଇଁ ଆସନ୍ତୁ ଋଷର ପ୍ରତିନିଧି ମଣ୍ଡଳ ।

 

ଅନ୍ୟପଟେ ଋଷ ୟୁକ୍ରେନକୁ ଆଲୋଚନା ପ୍ରସ୍ତାବ ସେହି ସମୟରେ ଦେଇଛି ଯେତେବେଳେ କି ଯୁଦ୍ଧକୁ ବିରୋଧ କରି ଆମେରିକା ସହ ପଶ୍ଚିମଦେଶମାନେ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ଏହାସହ କିଛି ଦେଶ ୟୁକ୍ରେନକୁ ସୈନ୍ୟ ସହୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଋଷ ନିଜ ତରଫରୁ ୟୁକ୍ରେନକୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା ।