ଚଢା ଦରରେ ବିକ୍ରି କଲେ ବନ୍ଧା ହେବେ ବ୍ୟବସାୟୀ । ସତର୍କବାଣୀ ଶୁଣାଇଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

489

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ହୁ ହୁ ହେଇ ବଢିଚାଲିଛି ଦରଦାମ । ପରିବା ଦରରେ ତ ନିଆଁ ଲାଗିଛି । ଆଉ ଏହାରି ଭିତରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଚଢା ଦରରରେ ଖୁଚୁରା ବିକ୍ରି କଲେ ବ୍ୟବସାୟୀମାନେ ବନ୍ଧା ହେବେ । ଦରଦାମକୁ ନିୟନ୍ତ୍ରଣକୁ ଅଣାଯାଉଛି । ତେବେ ବଜାରରେ ଏବେ ପିଆଜ ଓ ଆଳୁ ଦର ସ୍ଥିର ରହିଛି। ନାଶିକ, ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ପିଆଜ ଆଳୁ ଆସୁଛି । ଯେହେତୁ ସେଠି ଦାମ୍ ଅଧିକ ରହିଛି, ତେଣୁ ସେହି ଅନୁସାରେ ଏଠାରେ ମଧ୍ୟ ଦାମ୍ ସାମାନ୍ୟ ଅଧିକ ରହିଛି । ବର୍ତ୍ତମାନ ସବୁ ଗୋଦାମ ସର୍ଚ୍ଚ ଚାଲିଛି, କିଣା ବିଲ୍ ଦେଖାଯାଉଛି । ଯଦି କେହି ଚଢ଼ା ଦରରେ ଜିନିଷ ବିକ୍ରି କରେ, ତାହା ହେଲେ ଚଢ଼ାଉ ହେବ । ଖୁଚୁରା ବ୍ୟବସାୟୀ ବହୁତ ଅଧିକ ଲାଭ ରଖି ବିକ୍ରି କରୁଥିଲେ ସେମାନଙ୍କ ଉପରେ ମଧ୍ୟ ଚଢ଼ାଉ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହିତ ବିଭାଗୀୟ ଅଧିକାରୀ ନିୟମିତ ଏହାର ଯାଞ୍ଚ କରିବେ ବୋଲି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।