ଏମିତି ଜୀବନ କାହାକୁ ନମିଳୁ ! ଡହ ଡହ ଖରାରେ ଭିକ୍ଷା ମାଗି ଚଳୁଛନ୍ତି ୩ ଦିବ୍ୟାଙ୍ଗ ଭାଇ; ସହାୟତା ଯୋଗାଇ ଦେବାକୁ ଦାବି

184

କନକ ବ୍ୟୁରୋ : ଜୀବନର ଅନ୍ୟନାମ ଯନ୍ତ୍ରଣା । ହେଲେ ସମାଜରେ ଏମିତି କିଛି ବ୍ୟକ୍ତି ବି ଅଛନ୍ତି ଯାହାଙ୍କ ପାଇଁ ଜୀବନ ହିଁ ଯନ୍ତ୍ରଣା । ଖୋର୍ଦ୍ଧା ରାଜରାସ୍ତାରେ ତିନି ଜଣ ଭିନ୍ନକ୍ଷମଙ୍କ ଭିକ୍ଷା ମାଗୁଥିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି ।

ଦିନଦ୍ୱିପହର ଡହ ଡହ ଖରାରେ ରାସ୍ତାରେ ତିନି ଦିବ୍ୟାଙ୍ଗ ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି । ଜଣେ ଦିବ୍ୟାଙ୍କ ହ୍ୱିଲ ଚେୟାରରେ ବସିଥିବା ଆଉ ଜଣେ ଦିବ୍ୟାଙ୍ଗ ହ୍ୱିଲ ଚେୟାରକୁ ଠେଲି ଠେଲି ନେଉଥାନ୍ତି । ସବୁଠୁ ବିଚଳିତ କଲା ଭଳି ଅନ୍ୟଜଣେ ଦିବ୍ୟାଙ୍ଗ ତତଲା ପିଚୁ ଗଡି ଗଡି ଭିକ୍ଷା ମାଗୁଥାନ୍ତି । ଗୋଡ ନାହିଁ ହାତରେ କଟୁରି ଧରି ସେ ରାସ୍ତାରେ ଯାଉଥିବା ଲୋକଙ୍କୁ ଭିକ୍ଷା ମାଗୁଥିଲେ । ତେବେ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ଏହି ତିନି ଦିବ୍ୟାଙ୍ଗ କୌଣସି ଦୋକାନ ଆଗକୁ ଯାଉନଥିଲେ । ବଂର ରାସ୍ତାରେ ଯାଉଥିଲା ବେଳେ ଯିଏ ଯାହା ଦେଲା ତାକୁ ନେଉଥିଲେ । ଘଟଣାକୁ ଦେଖି କନକ ନ୍ୟୁଜ ଟିମ୍ ସେମାନଙ୍କ ପାଖକୁ ଯାଇ ପରିଚୟ ଓ ସେମାନଙ୍କ ଠିକଣା ମାଗିଥିଲେ, କିନ୍ତୁ ମିଳିନଥିଲା । ସେମାନେ ତିନି ଭାଇ ବୋଲି ଶୁଣିବାକୁ ମିଳିଛି ।

ଏହି ତିନି ଦିବ୍ୟାଙ୍ଗଙ୍କୁ ଦେଖିଲେ ସରକାରଙ୍କ ମାଳ ମାଳ ଯୋଜନା ଶୀତଲ ଭଣ୍ଡାରକୁ ଚାଲିଯାଇଥିବା ଅନୁମାନ କରିହେଉଛି । ସମାଜରେ ଭିକ୍ଷାବୃତି ଭଳି କୁତ୍ସିତ ପ୍ରଥାକୁ ବନ୍ଦ କରିବା ପାଇଁ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ କାମ କରୁଛି । ହେଲେ ଭିକ୍ଷାବୃତି କରି ଚଳୁଥିବା ଲୋକଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରୁ ନାହିଁ । ଶାରିରୀକ ଭାବେ ଅକ୍ଷମ ଭାଇ ହ୍ୱିଲ ଚେୟାରରେ ବସିଛି । ଅନ୍ୟ ଭାଇ ଯିଏ ଗୋଟିଏ ଗୋଡ ହରାଇଛି ସେ ହ୍ୱିଲଚେୟାରକୁ ଠେଲି ଠେଲି ନେଉଛି । ରାସ୍ତାରେ ଗଡି ଗଡି ଯାଉଥିବା ଭାଇ ଦୁଇଟି ଗୋଡ ହରାଇଛନ୍ତି । ଯାହା ପ୍ରତିଟି ମଣିଷର ହୃଦୟକୁ ଦୋହଲାଇ ଦେଉଛି । ରାସ୍ତାରେ ଯିବା ବାଟୋଇ କେହି କେହି ଦୟା କରି ତିନି ଭାଇଙ୍କୁ କିଛି କିଛି ଟଙ୍କା ଦେଉଥିବା ଦେଖିବାକୁ ମିଳିଛି । ଏହି ତିନି ଅସହାୟ ଦିବ୍ୟାଙ୍ଗଙ୍କୁ ଦେଖିଲେ ଭଗବାନ ଓ ଏହି ସମାଜ, ସରକାର କେତେ ଯେ ନିଷ୍ଠୁର ତାହା ଚିନ୍ତା କରିହେଉ ନାହିଁ । ପେଟ ଚାଖଣ୍ଡ ପାଇଁ ଏପରି ଦୃଶ୍ୟ ରାଜରାସ୍ତାରେ ଦେଖାନ ଯାଉ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ହୋଇପଡିଛି ।