୧୯୮୩ର ବିଶ୍ୱ ବିଜେତା: ଦୁର୍ଦ୍ଦଶ ଟିମକୁ ଧୂଳି ଚଟାଇ, ଚାମ୍ପିୟନ ହୋଇଥିଲା ଭାରତ

238

କନକ ବ୍ୟୁରୋ: ବର୍ଷ ୧୯୮୩, ଭାରତୀୟ କ୍ରିକେଟ ପାଇଁ ଥିଲା ଗୋଲ୍ଡେନ ଯୁଗ । କାରଣ ଏହି ବର୍ଷ ଭାରତ ପ୍ରଥମଥର ପାଇଁ ବିଶ୍ୱକପ ଚାମ୍ପିୟନ ହୋଇଥିଲା । କପିଲ ଦେବଙ୍କ ଅଧିନାୟକତ୍ୱରେ ଦଳ ଦିନିକିଆ ବିଶ୍ୱକପ ନିଜ ନାଁରେ କରିଥିଲା । ଆଉ ଏହି ବିଜୟ ହାସଲ କରିବା ଭାରତ ପାଇଁ ଏତେ ସହଜ ନଥିଲା । କାରଣ ଭାରତ ଯେଉଁ ଟିମକୁ ପରାସ୍ତ କରି ବିଜୟୀ ହୋଇଥିଲା ସେହି ସେତେବେଳର ସବୁଠାରୁ ଶକ୍ତିଶାଳୀ ଟିମ ଥିଲା । ଆଉ ସେହି ଟିମ ହେଉଛି ୱେଷ୍ଟଇଣ୍ଡିଜ । ୧୯୮୩ ମସିହା ପୂର୍ବରୁ ୨୦ ବର୍ଷ ଧରି ୱେଷ୍ଟଇଣ୍ଡିଜ ବିଶ୍ୱ କ୍ରିକେଟରେ ନିଜ ଦବଦବା ରଖିଥିଲା ।

୧୯୭୫, ୧୯୭୯ ଦୁଇ ଦୁଇ ଥର ବିଶ୍ୱଚାମ୍ପିୟନ ଥିଲା ୱେଷ୍ଟଇଣ୍ଡିଜ । ୧୯୮୩ ମସିହା ବିଶ୍ୱକପ ଜିତିବା ବି ୱେଷ୍ଟଇଣ୍ଡିଜ ପାଇଁ ଛୋଟ କଥା ନଥିଲା । କାରଣ ଦଳ ଫାଇନାଲରେ ପହଞ୍ଚି ସାରିଥାଏ । ଆଉ ସାମ୍ନାରେ ଥାଏ ଟିମ ଇଣ୍ଡିଆ । ଭିଭାନ ରିଚାର୍ଡସ, ମାଲକମ ମାର୍ଶଲ ଆଉ କ୍ଲିଭ ଲୋୟଡ ଭଳି ଦୁର୍ଦ୍ଦଶ ଖେଳାଳି ଥିବା ଦଳକୁ ମାତ ଦେଇ ବିଶ୍ୱ ଚାମ୍ପିୟନ ହୋଇଥିଲା ଭାରତ । ଆଉ ପ୍ରଥମଥର ପାଇଁ ବିଶ୍ୱକପ ହାତେଇବାରେ ସଫଳ ହୋଇଥିଲା ଟିମ ଇଣ୍ଡିଆ ।

ଇଂଲଣ୍ଡର ଲର୍ଡସ କ୍ରିକେଟ ଗ୍ରାଉଣ୍ଡ, ଅପେକ୍ଷା କରିଥାଏ ୧୯୮୩ ମସିହା ଫାଇନାଲ ମ୍ୟାଚକୁ । ଏହି ମ୍ୟାଚରେ ମୁହାଁମୁହିଁ ହେବାକୁ ଥାନ୍ତି ଭାରତ ଆଉ ଡେପିଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜ ଦଳ । ଟସ ଜିତି ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ବ୍ୟାଟିଂ ପାଇଁ ମୈଦାନକୁ ଆସିଥିଲେ ସୁନୀଲ ଗାଭାସ୍କର ଓ ଶ୍ରୀକାନ୍ଥ । ହେଲେ ଆରମ୍ଭରୁ ଭାରତକୁ ଝଟକା ଲାଗିଥିଲା ଦଳୀୟ ସ୍କୋର ୨ ରନ ହୋଇଥିଲା ବେଳେ ସୁନୀଲ ଗାଭାସ୍କର ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ । ଏହାପରେ ଅମରନାଥ ଓ ଶ୍ରୀକାନ୍ଥ ଭଲ ପାର୍ଟନରସିପ କରିଥିଲେ । ତଥାପି ଭାତୀୟ ଟିମ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଦଳ ୫୪ ଓଭର ଖେଳି ମାତ୍ର ୧୮୩ ରନ କରିଥିଲା । ଯାହା ୱେଷ୍ଟଇଣ୍ଡିଜ ପାଇଁ ସହଜ ବିଜୟ ଲକ୍ଷ୍ୟ ଥିଲା ।

୧୮୪ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ୱେଷ୍ଟଇଣ୍ଡିଜ ଦଳ । ସମସ୍ତେ ଭାବି ସାରିଥିଲେ ଲଗାତାର ହାଟ୍ରିକ ଚାମ୍ପିୟନ ହେବ ୱେଷ୍ଟଇଣ୍ଡିଜ । କାରଣ ଦଳରେ ବିଭାନ ରିଚାର୍ଡସ, କ୍ଲିଭ ଲୋୟଡଙ୍କ ଭଳି ଖେଳାଳି ଅଛନ୍ତି ମାନେ ୱେଷ୍ଟଇଣ୍ଡିଜ ସହଜରେ ବିଜୟୀ ହୋଇଯିବ । ୱେଷ୍ଟଇଣ୍ଡିଜର ଗୋଟିଏ ପରେ ଗୋଟିଏ ୱିକେଟ ଗଳିଚାଲିଥିଲେ ମଧ୍ୟ ବିଭାନ ରଚାର୍ଡଙ୍କ ଉପସ୍ଥିତି ଦଳକୁ ଚିନ୍ତାରେ ପକାଇ ଦେଇଥିଲା । ହେଲେ କପିଲ ଦେବ ଓ ମଦନଲାଲଙ୍କ ରଣନୀତି ଆଗରେ ଫିକା ପଡିଯାଇଥିଲା ୱେଷ୍ଟଇଣ୍ଡିଜର ବ୍ୟାଟିଂ । ୱେଷ୍ଟଇଣ୍ଡିଜ ଟିମକୁ ପାଣି ପିଆଇ ଦେଇଥିଲେ ଭାରତୀୟ ବୋଲର । ୫୨ ଓଭର ସୁଦ୍ଧା ପୂରା ୱେଷ୍ଟଇଣ୍ଡିଜ ଟିମକୁ ଅଲଆଉଟ କରି ବିଶ୍ୱ ଚାମ୍ପିୟନ ହୋଇଥିଲା ଭାରତ । ଆଉ ଆଜି ଐତିହାସିକ ଦିନକୁ ପୂରିଛି ୪୦ ବର୍ଷ । ୪୦ ବର୍ଷ ତଳର ଏହି ସ୍ୱର୍ଣ୍ଣିମ ଦିନକୁ କେବେ ବି ଭୁଲିବେନି ଭାରତୀୟ ।