ଆମ ପାଇଁ ଭଲ ଆମ ପାହାଡି ଝରଣା ପାଣି । ପାଇପ୍ ପାଣି ପାଇଁ ଘର ପାଖରେ ଟ୍ୟାପ ବସାଇବାକୁ ନାରାଜ ରାୟଗଡା ଶୁରୁଣି ଗ୍ରାମବାସୀ ।

34

କନକବ୍ୟୁରୋ :ପ୍ରକୃତିରୁ ଝରି ଆସୁଥିବା ପାଣି ଭଲ । ପୂର୍ବ ପୁରୁଷରୁ ଏହି ପାଣି ପିଇ ଆସୁଛୁ । ଏହି ପାଣି ବ୍ୟବହାର ଦ୍ୱାରା କୌଣସି ରୋଗ ହେଉନାହିଁ । ତମେ ଯେଉଁ ପାଣି ଯୋଗେଇଦବ ସେ ପାଣି ବିଶୁଦ୍ଧ ନୁହେଁ । ତେଣୁ ତମ ପାଣି ଆମକୁ ଦରକାର ନାହିଁ ବୋଲି କହି ମେଗା ପାନିୟ ଜଳ ପ୍ରକଳ୍ପ ଯୋଗେ ଯୋଗାଯାଉଥିବା ପାଣି ନେବାକୁ ମନା କରିଦେଇଛନ୍ତି ରାୟଗଡା ଜିଲ୍ଲାର ଶୁରୁଣି ଗ୍ରାମବାସୀ । କାହିଁ କେଉଁ କାଳରୁ ପାହାଡ ଉପରୁ ଝରି ଆସୁଛି ପାହାଡି ପାଣି ।

ଆଉ ଏଇ ପାଣି ପିଉଛନ୍ତି ରାୟଗଡା ସଦର ବ୍ଲକର ଶୁରୁଣି ଗ୍ରାମବାସୀ । ଗାଁରେ ଆଦିବାସୀ ସଂପ୍ରଦାୟର ୬୦ଟି ପରିବାର ବସବାସ କରୁଛନ୍ତି । ମୁଲମଜୁରି ସହ ପାହାଡି ଅଚଂଳରେ ଚାଷ କରି ଗୁଜୁରାଣ ମେଟାଂଇଥାନ୍ତି । ଗାଁରେ ପିଇବା ପାଣି ପାଇଁ ୩ଟି ନଳକୂପ ରହିଥିଲେ ମଧ୍ୟ ତାକୁ ବ୍ୟବହାର କରନ୍ତି ନାହିଁ । କେବଳ ପାହାଡ ଉପରୁ ଝରି ଆସୁଥିବା ପାଣିକୁ ବ୍ୟବହାର କରିଥାନ୍ତି । କାରଣ ପାହାଡରୁ ଝରି ଆସୁଥିବା ପାଣି ବିଭିନ୍ନ ଔଷଧିୟ ବୃକ୍ଷର ଚେରର ସଂଷ୍ପର୍ଷରେ ଆସିବାରୁ ସେଥିରେ ଔଷଧିୟ ଗୁଣ ରହୁଥିବା ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ।

ଗାଁ ଲୋକଙ୍କ କେବଳ ପାହାଡି ପାଣି ବ୍ୟବହାର କରୁଥିବାରୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପ୍ରିଙ୍ଗ ୱାଟର ଯୋଜନାରେ ପାହାଡ ଉପରୁ ଏକ ପାଇପ ଯୋଗେ ପାଣି ଆଣି ଗାଁର ଶେଷ ମୁଣ୍ଡରେ ଏକ କୁଣ୍ଡରେ ଫିଲ୍ଟର କରି ଷ୍ଟାଣ୍ଡ ପୋଷ୍ଟ ଜରିଆରେ ଗାଁରେ ଯୋଗାଇ ଦିଆଯାଉଛି । ବର୍ତମାନ ଗାଁରେ ଟ୍ୟାପ ଯୋଗେ ନଦୀ ପାଣି ଯୋଗାଇ ଦେବା ପାଇଁ ଲୁହା ପାଇପ ବିଛା ସରିଛି । କିିନ୍ତୁ ଗାଁ ଲୋକେ ଘର ଘରକୁ ଟ୍ୟାପ ସଂଯୋଗ ନେବାକୁ ମନା କରିଦେଇଛନ୍ତି ।