ରାଜନୈତିକ ହିଂସା: ଖଲ୍ଲିକୋଟରେ ଗଡିଲା ମୁଣ୍ଡ, ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀଙ୍କ ମୃତ୍ୟୁ ଅଭିଯୋଗ

172

କନକ ବ୍ୟୁରୋ: ଖଲ୍ଲିକୋଟରେ ରାଜନୈତିକ ବିବାଦରେ ଜଣକର ମୁଣ୍ଡ ଗଡିଛି । ପୋଷ୍ଟର ଲଗାଇବାକୁ ନେଇ ବିଜେପି-ବିଜେଡି କର୍ମୀଙ୍କ ହଣାକଟାରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି । ଆଉ ଅଭିଯୁକ୍ତକୁ ଗିରଫ କରାଯିବା ପରେ ତାତିଛନ୍ତି ଲୋକେ । ପୁଲିସ ଉପରକୁ ଢେଲାପଥର ଓ ବୋତଲ ମାଡ ହୋଇଛି । ପରିସ୍ଥିତି ଅଣାୟତ ହେବା ପରେ ପୁଲିସକୁ ଲାଠିଚାର୍ଜ ବି କରିବାକୁ ପଡିଥିଲା । ଏହାପରେ ଖଲ୍ଲିକୋଟ ଥାନା ଅଂଚଳରେ ୧୪୪ ଧାରା ଜାରି ହୋଇଛି । ଆଉ ଉଗ୍ର ରାଜେନୈତିକ ହିଂସା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭୋଟ ପଡିବା ପୂର୍ବରୁ ଅଶାନ୍ତ ଖଲ୍ଲିକୋଟ । ପୁଲିସକୁ ବି ଛାଡିନାହାନ୍ତି ଉତ୍ୟକ୍ତ ଲୋକ । ୮ ଅଭିଯୁକ୍ତଙ୍କୁୁ ନେବାବେଳେ ପୁଲିସ ଗାଡି ଉପରକୁ ଆକ୍ରମଣ କରିଛନ୍ତି । ଉତ୍ୟକ୍ତ ଲୋକେ ପୋଲିସ ଗାଡିକୁ ଘେରିବା ସହ ଢେଲା ପଥର ଏବଂ ବୋତଲ ମାଡ କରିଛନ୍ତି । ଫଳରେ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଛି ।

ଖଲ୍ଲିକୋଟରେ ରାଜନୈତକି ହିଂସା ଉଗ୍ରରୂପ ଧାରଣ କରିଛି । ପୋଷ୍ଟର ମରାକୁ ନେଇ ବିଜେଡି ଓ ବିଜେପିି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଖଲ୍ଲିକୋଟର ଶ୍ରୀକୃଷ୍ଣଶରଣପୁର ଗାଁରେ ମହାଭାରତ । ବୁଧବାର ସନ୍ଧ୍ୟାରେ ଏହି ଗାଁରେ କିଛି ବିଜେପି କର୍ମୀ ପୋଷ୍ଟର ମାରୁଥିବାବେଳେ ବିଜେଡି କର୍ମୀ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲା । ଖଣ୍ଡାକାତି ଚାଲିଥିଲା । ଏଥିରେ ଉଭୟ ପକ୍ଷର ଅନେକ ଆହତ ହୋଇଥିଲେ । ରାତିରେ ବ୍ରହ୍ମପୁର ମେଡିକାଲରେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହା ପରେ ସ୍ଥିତି ଅଣାୟତ ହୋଇପଡିଛି । ଲୋକେ ବିଧାୟିକାଙ୍କ ଗାଡି ଭଙ୍ଗାରୁଜା କରିବା ସହ ରାତିରେ ଥାନା ଘେରାଉ କରିଥିଲେ । ଆଉ ସକାଳେ ଦୋଷୀଙ୍କୁ ଧରିବା ଦାବିରେ ଆସିକା-ଭୁବନେଶ୍ୱର ରାସ୍ତା ଅବରୋଧ ବି କରିଥିଲେ । ସ୍ଥିତି ଅଣାୟତ ହେବା ପରେ ପୁଲିସ ୮ ଜଣ ଅଭିଯୁକ୍ତଙ୍କୁୁ ଗିରଫ କରିଥିଲା । ଆଉ ୮ଜଣଙ୍କୁ ଦେଖିବା ପରେ ଅଣାୟତ ହୋଇଥିଲେ ଲୋକେ । ପୁଲିସ ଗାଡି ଉପରକୁ ଆକ୍ରମଣ କରିଥିଲେ । ଏଥିରେ ଅନେକ ଲୋକ ଓ ୭ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।

କୁହାଯାଉଛି, ରାତିରେ ଥାନା ଘେରାଉ ସତ୍ତେ୍ୱ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ସକାଳେ ରାସ୍ତାରୋକ ପରେ ପୁଲିସ ଆକ୍ସନ ମୋଡକୁ ଆସିଥିଲା । ଆଉ ୮ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଧୈର୍ଯ୍ୟହରା ହୋଇପଡିଥିଲେ ଲୋକେ ।

ପୁଲିସର ଲାଠିଚାର୍ଜ ପରେ ଖଲ୍ଲିକୋଟ ଅଶାନ୍ତ ହୋଇପଡିଛି । ସୁରକ୍ଷା ଦୃଷ୍ଟିରୁ ଖଲ୍ଲିକୋଟ ଥାନା ଅଂଚଳରେ ୧୪୪ ଧାରା ଜାରି ହୋଇଛି । ଥାନାରୁ ଶହେ ମିଟର ଭିତରେ ଲୋକେ ଏକତ୍ରିତ ନହେବାକୁ କୁହାଯାଉଛି । ତେବେ ମୃତ ଦିଲ୍ଲୀପଙ୍କ ଭାଇ ଜିତେନ୍ଦ୍ର ପାହାନଙ୍କ ବିସ୍ଫୋରକ ବୟାନ ବିବାଦକୁ ନୂଆ ରୂପ ଦେଇଛି । ଆଉ ବିବାଦକୁ ଆସିଛନ୍ତି ରାଜପରିବାର ସଦସ୍ୟ ସାକେତ ରାମାରାଓ । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ସ୍ୱାମୀ ଦୈତାରୀ ବେହେରାଙ୍କ ଇଙ୍ଗିତରେ ଏଭଳି ହୋଇଥିବା ସେ ଅଭିଯୋଗ ଆଣିଛନ୍ତି ।

ପୋଲିସରାରେ ବି ଜଣେ ଯୁବକଙ୍କ ଉପରେ ଗୁଳିମାଡ ହୋଇଛି । ପୂର୍ବ ଶତ୍ରୁତାରୁ ଏଭଳି ହୋଇଥିବା ଏସପି କହିଛନ୍ତି । ସୋମବାର ବି ବ୍ରହ୍ମପୁରରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଉପରେ ଆକ୍ରମଣ ହୋଇଥିଲା । ଗଂଜାମ ଜିଲ୍ଲାରେ ଏଭଳି ହିଂସାକାଣ୍ଡ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଭଳି ପରିସ୍ଥିତି ସୃଷ୍ଟି କରିଛି ।