ନବ ଦାସ ହତ୍ୟାକାଣ୍ଡକୁ ନେଇ ପୁଣି ବିଧାନସଭାରେ ଗର୍ଜିଲେ ବିରୋଧୀ ଦଳ ନେତା । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଜବାବ ରଖିଲା ଶାସକ ଦଳ । ପଢନ୍ତୁ, କିଏ କହିଲେ କ’ଣ?

79

କନକ ବ୍ୟୁରୋ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ପୁଣି ଗୃହରେ ଗର୍ଜିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଶାସକ ଦଳକୁ ଟାର୍ଗେଟ୍ କରିବା ସହିତ ସେ କହିଛନ୍ତି, ଆଜି ନବ ଦାସଙ୍କ ହତ୍ୟାକୁ ମାସେ ପୁରୁଛି । ଏତେ ଦିନ ପରେ ବି ନ୍ୟାୟ ନ ମିଳିବାରୁ ଏନେଇ ବିଜେପି ପକ୍ଷରୁ ଗଣତନ୍ତ୍ର ମନ୍ଦିର ବିଧାନସଭାକୁ ଘେରାଉ କରି ନ୍ୟାୟ ମାଗିବା ଓ ପ୍ରତିବାଦ କରିବା କଣ ଭୁଲ? ତା ସହିତ ଗମ୍ଭୀର ଅଭିଯୋଗ ଆଣି ସେ କହିଛନ୍ତି, ଆଜି ପ୍ରତିବାଦ ସମୟରେ ପୁରୁଷ ପୋଲିସ ମହିଳା ବିଜେପି କର୍ମୀଙ୍କୁ ମାଡ଼ ମାରିଛନ୍ତି । ରାଜ୍ୟରେ ମନ୍ତ୍ରୀ, ନେତା ଓ ଜନତା ସୁରକ୍ଷିତ ନାହାନ୍ତି, ପ୍ରତିବାଦ କରିବାରୁ ପୋଲିସ ଗୋଡେଇ ଗୋଡେଇ ବାଡ଼ଉଛି । ପୋଲିସ ଆଜି ଯେଉଁଭଳି ନିଜ ଦକ୍ଷତା ଏଠି ଦେଖାଇଲା ନବ ଦାସଙ୍କ ହତ୍ୟାରେ ଦେଖାଇଥିଲେ ହୁଏତ ହତ୍ୟା ପଛର କାହାଣୀ ଉନ୍ମୋଚିତ ହୋଇଯାନ୍ତାଣି ବୋଲି ଜୟ ନାରାୟଣ କହିଛନ୍ତି ।  ତେବେ ଏନେଇ ତଦନ୍ତ ନିର୍ଦେଶ ଦେଇ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୟନାରାୟଣ ଦାବି କରିଛନ୍ତି ।

ଅନ୍ୟପଟେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିରୋଧୀଙ୍କୁ ଜବାବ ଦେଇଛି ଶାସକ ଦଳ । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, କହିଛନ୍ତି ଶାନ୍ତି ପ୍ରିୟ ରାଜ୍ୟରେ ଏଭଳି ଗୁଣ୍ଡା ଗର୍ଦି କରିବା କଣ ଉଚିତ୍ ? ସେହିପରି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ବିରୋଧୀ ଦଳ ପ୍ରତିବାଦ କରିବା ସମୟରେ ନିଜର ସଂଯମତା ରକ୍ଷା କରିବା ଦରକାର । ଅନ୍ୟପଟେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ବିରୋଧୀ ଦଳ ଗୃହର ମର୍ଯ୍ୟାଦାହାନୀ କରୁଛନ୍ତି । ଗୋଟେ ପ୍ରସଙ୍ଗ ଗୃହରେ ଥରେ ଆଲୋଚନା ପରେ ପୁନର୍ବାର ଉଠାଇ ଗୃହର ନିୟମକୁ ବାରମ୍ୱାର ଭଙ୍ଗ କରିଛନ୍ତି ବିରୋଧୀ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ, ବାଚସ୍ପତି ପ୍ରଥମେ ୧୦ ମିନିଟ ଗୃହକୁ ମୂଲତବୀ କରିଥିଲେ, ତା ପରେ ବିରୋଧୀ ହଟ୍ଟଗୋଳ କରୁଥିବାରୁ ଆଉ ଥରେ ୧୦ ମିନିଟ ପାଇଁ ମୂଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।