ଉଦଘାଟନ ପୂର୍ବରୁ ଭୁଶୁଡିଲା ଇଣ୍ଡୋର ଷ୍ଟାଡିୟମ । ସ୍ଥାୟିତ୍ୱ ଉପରେ ଉଠିଲା ପ୍ରଶ୍ନ । ଏପଟେ ରାଜ୍ୟରେ ବର୍ଷା ଆହୁରି ୨ ଦିନ

1,092

କନକ ବ୍ୟୁରୋ: ଗଞ୍ଜାମ କୋଦଳା ଏନଏସିରେ ୭ କୋଟିର ତିଆରି ହେଉଛି ଇଣ୍ଡୋର ଷ୍ଟାଡିୟମ । କିନ୍ତୁ ସାମାନ୍ୟ ବର୍ଷାରେ ଭୁଶୁଡି ପଡିଛି ଷ୍ଟାଡିୟମ । ଛାତରୁ ପାଣି ଗଳୁଥିବା ବେଳେ ସିମେଣ୍ଟ ଖସୁଛି । ଚାରିପଟ କାନ୍ଥରେ ବି ଫାଟ ସୃଷ୍ଟି ହୋଇଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଏଠାରେ ନିମ୍ନମାନର କାମ ହୋଇଥିବା ଜଳ ଜଳ ହୋଇ ଦେଖାଯାଉଛି । ଦୀର୍ଘ ବର୍ଷର ଦାବି ପରେ କୋଦଳାରେ ଷ୍ଟାଡିୟମ ନିର୍ମାଣ ଚାଲିଥିଲା । ଏବେ ସାମାନ୍ୟ ବର୍ଷାରେ ଭୁଷୁଡି ପଡିବା ପରେ ସେହି ଷ୍ଟାଡିୟମକୁ ଯିବା ପାଇଁ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ସ୍ଥାନୀୟ ବାସିନ୍ଦା ।

  • ଅସ୍ତରଙ୍ଗରେ ବର୍ଷାର ପ୍ରଭାବ
  • ରାସ୍ତାରେ ଚାଲୁଛି ଆଣ୍ଠୁଏ ପାଣି

ବର୍ଷାରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କାକଟପୁର ବ୍ଲକର ବାଙ୍ଗୁରୀଗାଁ ତରପଦା ରାସ୍ତାରେ ଆଣ୍ଠୁଏ ପାଣି ଚାଲି ଜଳବନ୍ଦୀ ଅବସ୍ଥା ସୃଷ୍ଟି କରିଛି । ଅନେକ ଘରେ ପାଣି ପଶିଯାଇଛି । ଜଳ ନିଷ୍କାସନର ସୁବିଧା ନଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ମୌସୁମୀ ବର୍ଷା ଚାଷ ପାଇଁ ଭଲ ଖବର ଆଣିଥିବାବେଳେ ଲୋକଙ୍କ ପାଇଁ ଦୁଃଖ ଆଣିଦେଇଛି ।

  • ରାଜ୍ୟରେ ବର୍ଷା ଆହୁରି ୨ ଦିନ
  • ୨୮ ତାରିଖରୁ ବଦଳିବ ପାଗ!

ରାଜ୍ୟରେ ଏବେ ନିମ୍ନଚାପ ରେଖା ଓ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ୨ ଦିନ ପରେ ୨୮ରୁ ବଦଳିପାରେ ପାଗ । ଲଘୁଚାପ ଜନିତ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ପଶିବା ସମ୍ଭାବନା ରହିଛି । ୨୪ ଘଣ୍ଟା ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସହରରେ ଟ୍ରାଫିକଜନିତ ସମସ୍ୟା ଦେଖାଦେଇପାରେ । ମାଟି ଓ ଚାଳ ଘରର କାନ୍ଥ ପଡିବା ବି ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଚଳିତମାସ ୧ରୁ ୨୬ ତାରିଖ ମଧ୍ୟରେ ରାଜ୍ୟରେ ୧୩୦ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ ୨୪ ପ୍ରତିଶତ କମ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବି ବଢୁଛିା ଛତିଶଗଡ ବି କଲମା ଓ କେଲୋ ଗେଟ୍ ଖୋଲିଦେଇଛି । ଯାହାଫଳରେ ବଢୁଛି ଜଳଭଣ୍ଡାରର ଜଳସ୍ତରା ।