ସବୁଜରୁ ଗେରୁଆ ହେଲା ଲକ୍ଷ୍ମୀ ବସର ରଙ୍ଗ । ଉଠିଲା ପ୍ରଶ୍ନ, କାହା ନିର୍ଦ୍ଦେଶରେ ବଦଳିଲା ରଙ୍ଗ?

1,741

କନକ ବ୍ୟୁରୋ: ଢେଙ୍କାନାଳ ବସଷ୍ଟାଣ୍ଡରେ ଥିବା ଲକ୍ଷ୍ମୀ ବସର ପ୍ରାୟ ୨୮ଟି ବସକୁ ଗେରୁଆ ରଙ୍ଗରେ ପରିବର୍ତ୍ତନ କରାଯାଇଛି । ପୂର୍ବ ସରକାରରେ ଏଗୁଡିକର ରଙ୍ଗ ସବୁଜ ଥିଲା । ତେବେ ନିର୍ବାଚନରେ ବିଜେଡି ହାରିବା ପରେ ଲକ୍ଷ୍ମୀ ବସଗୁଡିକରୁ ଶଙ୍ଖ ଲୋଗୋ ଥିବା ଷ୍ଟିକରକୁ ହଟାଇ ଦିଆଯାଇଥିଲା । ଆଉ ଏବେ ଏହାକୁ ଗେରୁଆ ରଙ୍ଗରେ ପରିବର୍ତ୍ତନ କରି ଦିଆଯାଇଥିବା ଦେଖିବାକୁ ମିଳିଛି ।

  • ସବୁଜରୁ ଗେରୁଆ ହେଲା ‘ଲକ୍ଷ୍ମୀ ବସ’ର ରଙ୍ଗ
  • କାହା ନିର୍ଦ୍ଦେଶରେ ବଦଳିଲା, ଉଠିଲା ପ୍ରଶ୍ନ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରଙ୍ଗ କିଏ ବଦଳାଇଲା କିମ୍ୱା କାହା ନିର୍ଦ୍ଦେଶରେ ବଦଳାଗଲା ସେନେଇ କାହାରି ପାଖରେ ଖବର ନାହିଁ । ଢେଙ୍କାନାଳ ଆରଟିଓ ମଧ୍ୟ ଏ ସଂପର୍କରେ କିଛି ଜାଣିନଥିବା କହିଛନ୍ତି । ତେବେ କମ୍ ପଇସାରେ ପଞ୍ଚାୟତରୁ ସହରକୁ ଯୋଡିବା ପାଇଁ ତତ୍କାଳୀନ ନବୀନ ସରକାର ନିର୍ବାଚନ ପୂର୍ବରୁ ସାରାରାଜ୍ୟରେ ଏହି ବସ ସେବାର ଶୁଭାରମ୍ଭ କରିଥିଲେ ।

ଢେଙ୍କାନାଳରେ ‘ଲକ୍ଷ୍ମୀ ବସ’ ସେବା

  • ଗତ ଜାନୁଆରୀ ୩୧ରେ ଢେଙ୍କାନାଳରେ ଆରମ୍ଭ ହୋଇଥିଲା ‘ଲକ୍ଷ୍ମୀ ବସ’ ସେବା
  • ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୫୩ଟି ରୁଟରେ ୬୦ଟି ବସ ଚଳାଚଳ ଯୋଜନା ଥିଲା
  • ଏବେ ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ୨୫ଟି ‘ଲକ୍ଷ୍ମୀ ବସ’ ଚଳାଚଳ କରୁଛି
  • ଢେଙ୍କାନାଳ ସଦର ବ୍ଲକରେ ୪ଟି ‘ଲକ୍ଷ୍ମୀ ବସ’ ବିଭିନ୍ନ ଅଞ୍ଚଳକୁ ଗଡୁଛି

ରାଜ୍ୟରେ ସରକାର ପରିବର୍ତ୍ତନ ପରେ ‘ଲକ୍ଷ୍ମୀ ବସ’ ଆଉ ଗଡିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । ଏହାରି ଭିତରେ କିନ୍ତୁ ସେବା ଚାଲୁ ରହିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି । ଏହାର ନାମ ମୁଖ୍ୟମନ୍ତ୍ରୀ ବସ୍ ସେବା ଭାବେ ପରିବର୍ତ୍ତନ ହେବ ବୋଲି ସେ ସ୍ପଷ୍ଟ କରି ସାରିଛନ୍ତି।

ସୂଚନାଯୋଗ୍ୟ ଯେ, ଓଡିଶା ଷ୍ଟେଟ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ ଅର୍ଥାତ ଓଏସଆରଟିସି ଅଧିନରେ ରହିଛି ‘ଲକ୍ଷ୍ମୀ ବସ’। ତେବେ କାହା ନିର୍ଦ୍ଦେଶରେ ଲକ୍ଷ୍ମୀ ବସର ରଙ୍ଗ ପରିବର୍ତ୍ତନ କରାଗଲା ସେନେଇ ଓଏସଆରଟିସି କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । କେବଳ ଢେଙ୍କାନାଳରେ ରଙ୍ଗ ପରିବର୍ତ୍ତନ ହୋଇଛି, ନା ଆଗକୁ ଅନ୍ୟ ସ୍ଥାନରେ ମଧ୍ୟ ‘ଲକ୍ଷ୍ମୀ ବସ’ର ରଙ୍ଗ ପରିବର୍ତ୍ତନ କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ ।