ଗୁଣୁପୁରର ସପୁରୀ ଚାଷ: ଏଠାକାର ଜଳବାୟୁ ସପୁରୀ ଉତ୍ପାଦନ ପାଇଁ ବେଶ ଉପଯୋଗୀ

81

କନକ ବ୍ୟୁରୋ: କୃଷିର ବିକାଶ ଏବଂ ଚାଷୀଙ୍କ ଉତ୍ପାଦନର ବଜାରିକରଣ ଦିଗରେ ସରକାର ଯତ୍ନବାନ ରହିଛନ୍ତି । ଏଥି ନିମନ୍ତେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଚାଷ କରିବା ପାଇଁ ଚାଷୀଙ୍କୁ ପ୍ରୋଶ୍ଚାହିତ କରାଯାଉଛି । ସେହିପରି ଚାହିଦା ଅନୁସାରେ ସାମଗ୍ରୀ ରପ୍ତାନି କରି ଉଚ୍ଚ ଦରରେ ବିକ୍ରି ନିମନ୍ତେ ଜିଲ୍ଲାରେ ଓରମାସକୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଚାଷୀ ଏଥିରେ ଉପକୃତ ହୋଇପାରୁନାହାନ୍ତି । ଫଳରେ ଅଂଚଳର ଚାଷୀ ନିଜର ଉତ୍ପାଦିତ ସାମଗ୍ରୀକୁ କମ ଦରରେ ବିକ୍ରି କରିବା ସହ ଅଭାବ ବିକ୍ରିର ଶିକାର ହେବାକୁ ପଡୁଛି ।

ସପୁରୀ ଚାଷ ପାଇଁ ବେଶ ପରିଚିତ ରାୟଗଡ଼ାର ଗୁଣୁପୁର ଅଂଚଳ । ଏଠାକାର ପରିବେଶ ସପୁରି ଚାଷ ପାଇଁ ବେଶ ଅନୁକୂଳ ଥିବାରୁ ଚାଷୀ ସପୁରୀ କରିଥାନ୍ତି । ଏବେ ଅଂଚଳରେ ପ୍ରଚୁର ପରିମାଣରେ ସପୁରି ଉତ୍ପାଦନ ହେଉଛି । ଏଠାରେ ରହୁଥିବା ଆଦିମ ଅଧିବାସୀ ମାନେ ଜୀବିକା ନିର୍ବାହ ପାଇଁ ମୁଖ୍ୟତଃ ଜଙ୍ଗଲ ଓ ପାହାଡ଼ ଉପରେ ନିର୍ଭର କରନ୍ତି । ପୁଟାସିଂ, ଶଗଡା, ଆବାଡ଼ା ଓ ଟଲଣା ପ୍ରଭୃତି ପଂଚାୟତରେ ରହୁଥିବା ଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରନ୍ତି । ତେବେ ଖରା ଦିନେ ଆମ୍ବ, ପଣସ, ସପୁରି, କଦଳୀ, ତେନ୍ତୁଳି ଓ କାଜୁ ଇତ୍ୟାଦି ଋତୁକାଳୀନ ଚାଷ କରି ନିଜର ନିଜର ଗୁଜରାଣ ମେଂଟାଇଥାନ୍ତି । ଝାଳ ବୁହା ପରିଶ୍ରମ କରି ଚାଷୀ ସିନା ଫସଲ ଉତ୍ପାଦନ କରୁଛି ହେଲେ ବଜାର ଅଭାବରୁ ଚାଷୀ ନିଜର ଉତ୍ପାଦିତ ସାମଗ୍ରୀକୁ କମ ଦରରେ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସପୁରୀ ଗୋଟାକୁ ୧୦ ରୁ ୧୫ ଟଙ୍କା ଦରରେ ବିକ୍ରି କରାଯାଉଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାର ବ୍ୟବସାୟୀମାନେ ଅଂଚଳକୁ ଆସି ଅତି କମ ଦରରେ ଚାଷୀଙ୍କ ଠାରୁ ଅନେକ ପରିମାଣରେ ସପୁରୀ କିଣି ନେଉଛନ୍ତି । ଲଘୁଜାତ ବନ୍ୟ ଦ୍ରବ୍ୟ ତେନ୍ତୁଳି, ମହୁଲ ଓ ଧୁଆଁ ପତ୍ର ଭଳି ଜଙ୍ଗଲ ଜାତ ଦ୍ରବ୍ୟ କିଣିବା ପାଇଁ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ଓ ନୀତି ରହିଥିବା ବେଳେ ସପୁରୀ ଚାଷ ପାଇଁ ସେଭଳି କିଛି ବ୍ୟବସ୍ଥା ଗ୍ରହଣ କରାଯାଇନାହି । ଯଦି ଋତୁକାଳୀନ ଫଳ ପାଇଁ ସରକାରଙ୍କ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଏ ଚାଷୀ ଉଚିତ ମୂଲ୍ୟ ପାଇବା ସହ ବେଶ ଉପକୃତ ହୋଇପାରିବେ କହିଛନ୍ତି ।

ସପୁରୀ ଚାଷୀ ଅଭାବ ବିକ୍ରି ଶିକାର ପ୍ରସଙ୍ଗରେ ଗୁଣୁପୁର ସହକାରୀ କୃଷି ଉଦ୍ୟାନ ଅଧିକାରୀ ସତ୍ୟବ୍ରତ ସାହୁ କହିଛନ୍ତି ଓରମାସ ସହ ଆଲୋଚନା କରି ଖୁବ ଶୀଘ୍ର ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ସପୁରୀ ଚାଷ ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ୁଥିବା ବେଳେ ବିକ୍ରିବଟା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।