ରଥଯାତ୍ରା ପାଇଁ ଦୁଇ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରଥଯାତ୍ରାରେ ଶୃଙ୍ଖଳିତ ନୀତି, ଦର୍ଶନ ଓ ସୁରକ୍ଷାକୁ ଗୁରୁତ୍ବ

322

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୈଠକରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ସହ ସମର୍ପଣ ମନୋଭାବ ନେଇ କାମ କରିବାକୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ଦୁଇ ଦିନ ରଥ ଟାଣିବାକୁ ନିଷ୍ପତି ହୋଇଥିବାରୁ ରଥଯାତ୍ରା ପରଦିନ ଜୁଲାଇ ୮ ତାରିଖକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି ସରକାର ।

  • ଦୁଇ ଦିନ ହେବ ରଥଯାତ୍ରା
  • ଛୁଟି ଘୋଷଣା କଲେ ସରକାର

ମହାପ୍ରଭୁଙ୍କ ଘୋଷଯାତ୍ରା ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ନିଦର୍ଶନ ହୋଇଥିବାରୁ ସୁଚାରୁ ରୁପେ ସମାପନ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ରଥଯାତ୍ରା ଦିନ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସୁଥିବାରୁ କଡା ସୁରକ୍ଷାର ବନ୍ଦୋବସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ପୁରୀରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୪ ଜଣ ଅତିରିକ୍ତ ଡିଜି, ୬ ଜଣ ଆଇଜି, ଡିଆଇଜି ପାହ୍ୟାର ୧୯ ଜଣ ଏସପି ବା କମାଣ୍ଡାଣ୍ଟ ଅଧିକାରୀ ଶାନ୍ତି ଶୃଙ୍ଖଳା ଦାୟିତ୍ବରେ ରହିବେ । ସେହିପରି ତଟ ସୁରକ୍ଷା ନେଇ କୋଷ୍ଟଗାର୍ଡ ଓ ଆକାଶ ମାର୍ଗରେ ସ୍ବତନ୍ତ୍ର ଡ୍ରୋନ ଦ୍ବାରା ଭିଡ ନିୟନ୍ତ୍ରଣର ବ୍ୟବସ୍ଥା ହୋଇଛି । ଏହାଛଡା ରଥଯାତ୍ରା ସମୟରେ ସ୍ବାସ୍ଥ୍ୟ ସେବା, ପରିମଳ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ ଓ ଗମନାଗମନ ଆଦି ପ୍ରଶାସନିକ ବ୍ୟବସ୍ଥା ଦୁଇ ଦିନ ଧରି ଜାରି ରହିବ । ଏଥର ନିଆରା ରଥଯାତ୍ରାରେ ନୀତିକାନ୍ତି ଶୃଙ୍ଖଳାର ସହ ସଂପନ୍ନ କରିବା ବଡ ଚ୍ୟାଲେଞ୍ଜ ରହିବ ବୋଲି ସେବାୟତ କହିଛନ୍ତି ।

ତେବେ ରାଜ୍ୟରେ ପ୍ରଥମ ଥର କ୍ଷମତାକୁ ଆସିଥିବା ମୋହନ ସରକାର ଶୃଙ୍ଖଳାର ସହ ଘୋଷଯାତ୍ରା ସଂପନ୍ନ ପାଇଁ ଲାଗିପଡିଛନ୍ତି । ଶପଥ ଗ୍ରହଣର ଦିନକ ପରେ ମୋହନ ସରକାର ଶ୍ରୀମନ୍ଦିର ଚାରିଦ୍ବାର ଖୋଲି ଭକ୍ତଙ୍କ ମହଲରେ ପ୍ରଶଂସିତ ହୋଇଛନ୍ତି । ତେଣୁ ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ସହ ନୀତିକାନ୍ତିଠୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କୁ ସୁବିଧା ଯୋଗାଇବାରେ ଯେମିତି କୌଣସି ତ୍ରୁଟି ନହୁଏ ସେ ଉପରେ ଗୁରୁତ୍ବ ଦିଆଯାଉଛି ।