ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି । ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ନିରଞ୍ଜନ ବିଶିଙ୍କୁ ଦିଲ୍ଲୀ ପଠାଇବ ଦଳ

202

କନକ ବ୍ୟୁରୋ: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ୪ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାଁ ଉପରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ । ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ନୂଆ ମୁହଁ ହୋଇଥିବା ବେଳେ ପୁଣିଥରେ ସସ୍ମିତ ପାତ୍ରଙ୍କ ଉପରେ ଭରସା କରିଛନ୍ତି ନବୀନ ।
ତେବେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖର ଗୋଟିଏ ଦିନ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କେଉଁ ୪ ଜଣଙ୍କୁ ଦିଲ୍ଲୀ ପଠାଇବେ ନବୀନ, ତାକୁ ନେଇ ଚାଲିଥିବା ସସପେନ୍ସ ଦୂର ହୋଇଛି ।

ବିଜେଡି ରାଜ୍ୟସଭା ପ୍ରାର୍ଥୀ

  • ସୁଲତା ଦେଓ
  • ମାନସ ମଙ୍ଗରାଜ
  • ସସ୍ମିତ ପାତ୍ର
  • ନିରଞ୍ଜନ ବିଶି

ରାଜ୍ୟସଭା ପାଇଁ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଂଜନ ବିଶିଙ୍କ ନାଁ ଘୋଷଣା କରିଛି ବିଜେଡି । ସସ୍ମିତ ପାତ୍ରଙ୍କୁ ରିପିଟ୍ କରାଯାଇଥିବା ବେଳେ ବାକି ୩ଜଣ ନୂଆ ନେତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ସ୍ଥିର କରିଛନ୍ତି ନବୀନ । ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଖାତାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ କାହାକୁ ଦିଲ୍ଲୀ ପଠାଇବେ ନବୀନ, ଏ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଚାଲିଥିଲା । କାରଣ ୪ଟି ଆସନ ପାଇଁ ଆଶାୟୀଙ୍କ ସଂଖ୍ୟା ଢେର ଅଧିକ ଥିଲା । କାହାକୁ ଦିଲ୍ଲୀ ପଠାଯିବ, ଏହା ଦଳ ପାଇଁ ଚ୍ୟାଲେଞ୍ଜ୍ ଥିଲା । ତେବେ ସବୁ ବର୍ଗକୁ ଦୃଷ୍ଟିରେ ରଖି ସୁପ୍ରିମୋ ନିଷ୍ପତି ନେଇଥିବା କୁହାଯାଉଛି ।

ପ୍ରାର୍ଥୀ ପଛର କାରଣ

  • ସୁଲତା ଦେଓ – ମହିଳା
  • ମାନସ ମଙ୍ଗରାଜ – ଆନୁଗତ୍ୟ
  • ସସ୍ମିତ ପାତ୍ର – କାର୍ଯ୍ୟଦକ୍ଷତା
  • ନିରଞ୍ଜନ ବିଶି – ଆଦିବାସୀ ଓ ପଶ୍ଚିମ ଓଡ଼ିଶା ନେତା

ସୁଲତା ଦେଓ ଦଳର ମ୍ରୁଖପାତ୍ର ଓ ଦଳର ଜଣେ ମହିଳା ନେତ୍ରୀ । ଦୀର୍ଘଦିନ ଧରି ଦଳ ପାଇଁ କାମ କରି ଆସୁଛନ୍ତି । ତାଙ୍କୁ ଟିକେଟ୍ ଦେଇ ରାଜ୍ୟସଭାରେ ମହିଳା ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ରାଜ୍ୟସଭାରେ ଓଡ଼ିଶାର ଜଣେ ମାତ୍ର ମହିଳା ଅଛନ୍ତି । ସେହିପରି ମାନସ ମଙ୍ଗରାଜ ରାଜ୍ୟସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୮ରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ଦଳ ପାଇଁ ନିରନ୍ତର କାମ କରିଆସୁଛନ୍ତି । ଆନୁଗତ୍ୟ ଆଧାରରେ ବିଜେଡି ସୁୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛନ୍ତି ।

ଅନ୍ୟପଟେ ସସ୍ମିତ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ଯିବେ । ଜୁଲାଇ ୧ରେ ସସ୍ମିତଙ୍କର କାର୍ଯ୍ୟକାଳ ଶେଷ ହେଉଛି । ହେଲେ ରାଜ୍ୟସଭାରେ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି । ଦଳ ତାଙ୍କୁ ପୁଣିଥରେ ଦିଲ୍ଲୀ ପଠାଇବାକୁ ନିଷ୍ପତି ନେଇଛି । ତା ସହିତ ନିରଞ୍ଜନ ବିଶି, ଯିଏକି ସୁବାସ ସିଂଙ୍କ ସ୍ଥାନରେ ରାଜ୍ୟସଭାକୁ ଯିବେ । ତାଙ୍କୁ ଟିକେଟ ଦେଇ ଦୁଇଟି ଲକ୍ଷ୍ୟ ହାସଲ କରିଛି ବିଜେଡି । ସେ ଆଦିବାସୀ ନେତା ହେବା ସହ ପଶ୍ଚିମ ଓଡ଼ିଶାର ହୋଇଥିବାରୁ ନିରଞ୍ଜନ ବିଶିଙ୍କୁ ଦିଲ୍ଲୀ ପଠାଇବାକୁ ନିଷ୍ପତି ନେଇଛନ୍ତି ବିଜେଡି ସୁପ୍ରିମୋ ।