ଲଘୁଚାପ ଦୁର୍ବଳ ହୋଇ ଘୂର୍ଣ୍ଣିବଳୟରେ ପରିଣତ: ୪ ତାରିଖରୁ ପୁଣି ବଢ଼ିବ ବର୍ଷାର ପରିମାଣ

701

କନକ ବ୍ୟୁରୋ: ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ । ପରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ନିଅଂଟିଆ ବର୍ଷା ଚିନ୍ତା ବଢ଼ାଇଛି । ଚଳିତମାସ ୧୭ଟି ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଥିବା ବେଳେ ମୟୁରଭଂଜରେ ସର୍ବାଧିକ ୬୭% ନିଅଂଟିଆ ବର୍ଷା ରେକର୍ଡ ହୋଇଛି ।

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ । ସେପଟେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହୋଇଛି । ଏହାସହ ଏକ ଟ୍ରପ ଲାଇନ ରହିଛି । ଏହି ଦୁଇ ସିଷ୍ଟମ ଯୋଗୁଁ ଏବେ ରାଜ୍ୟରେ ବର୍ଷା ହେଉଛି । ୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ । ପରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୪ ଘଂଟା ମଧ୍ୟରେ ଆଭ୍ୟନ୍ତର ଓ ପଶ୍ଚିମ ଓଡିଶାର କିଛି ଅଂଚଳରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କାଁ ଭାଁ କେତୋଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଓଡିଶାରେ ମୌସୁମୀ ସଅଳ ଆସିଥିଲା । କିନ୍ତୁ ପାଗ ଅନୁକୂଳ ନହେବାରୁ ଏହା ବିଳମ୍ବରେ ସାରା ରାଜ୍ୟରେ ସକ୍ରିୟ ହୋଇଛି । ଯାହାର ପ୍ରଭାବ ଏବେ ପଡିଛି । ଜୁନ୍ ୧ରୁ ଜୁନ୍ ୩୦ ଯାଏଁ ନିଅଂଟିଆ ବର୍ଷା ରେକର୍ଡ ହୋଇଛି । ଜୁନରେ ଯେତିକି ବର୍ଷା ହେବାକଥା ତାଠାରୁ ୨୭ ପ୍ରତିଶତ କମ୍ ବର୍ଷା ହୋଇଛି । ୧୭ଟି ଜିଲ୍ଲାରେ ନିଅଂଟିଆ ବର୍ଷା ରହିଥିବା ବେଳେ ମୟୁରଭଂଜରେ ସର୍ବାଧିକ ୬୭% ନିଅଂଟିଆ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧୫୩. ୬ ମିଲିମିଟର ବର୍ଷା ହୋଇଛି । ୧୨ଟି ଜିଲ୍ଲାରେ ଚଳିତମାସ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ କେବଳ ମାଲକାନଗିରିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।

ଉତର ପଶ୍ଚିମ ବଂଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନିଅଂଟିଆ ବର୍ଷାର ଭରଣା କରିବା ନେଇ ଆଶା ରଖାଯାଇଥିଲେ ବି ସେତେଟା ପ୍ରଭାବୀ ହୋଇପାରି ନାହିଁ ।