ପୁଅର ଦେହାନ୍ତ ଦୁଃଖକୁ ସହିପାରିଲେନି ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’ । ଝୁରି ଝୁରି ଚାଲିଗଲା ତାଙ୍କ ମା’ଙ୍କ ଜୀବନ

496

କନକ ବ୍ୟୁରୋ : ପୁଅକୁ ଝୁରି ଝୁରି ଚାଲିଗଲେ ସହିଦ୍ ସୁଶାନ୍ତ ଖୁଣ୍ଟିଆଙ୍କ ମାଆ । ଗତ ଶୁକ୍ରବାର ଦିନ ନକ୍ସଲଙ୍କ ଗୁଳି ମାଡ଼ରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇ ଯାଇଥିଲେ । ଏହି ଧକ୍କାକୁ ସହି ପାରିନଥିଲେ ସହିଦଙ୍କ ଅସୁସ୍ଥ ମାଆ ସୁନ୍ଦରୀ ଖୁଣ୍ଟିଆ । ୭ ଦିନ ଭିତରେ ସେ ଆହୁରି ଅସୁସ୍ଥ ହୋଇ ପଡିଥିଲେ । ଗତ ୪ ଦିନ ହେଲା ଖିଆପିଆ ଛାଡି ଦେଇଥିଲେ । ଶୁକ୍ରବାର ସକାଳେ ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଆନନ୍ଦପୁର ହସପିଟାଲରେ ଭର୍ତି କରାଯାଇଥିଲା । ଏହା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସପ୍ତାହକ ମଧ୍ୟରେ ପୁଅକୁ ଝୁରି ଝୁରି ମାଆଙ୍କ ମୃତ୍ୟୁ ହୋଇଛି । ଏହି ଦୁଃଖଦ ଖବର ପାଇବା ପରେ ସ୍ତବ୍ଧ ହୋଇ ଯାଇଛନ୍ତି ଅଞ୍ଚଳବାସୀ ।

ଅଗଷ୍ଟ ୧୧ ତାରିଖ ଦିନ ଝାରଖଣ୍ଡର କୋହ୍ଲାଣ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟବେଳେ, ସୁଶାନ୍ତ ଓ ତାଙ୍କ ସାଥୀ ଯବାନ ମୁନା ଯାଦବଙ୍କ ଦେହରେ ଗୁଳି ବାଜିଥିଲା । ଉଭୟଙ୍କୁ ଏକ ହେଲିକପ୍ଟର ସହାୟତାରେ ରାଂଚିର ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ ବସତଃ ସୁଶାନ୍ତଙ୍କର ଦେହାନ୍ତ ହୋଇଯାଇଥିଲା । ଶନିବାର ସୁଶାନ୍ତଙ୍କ ପ୍ରାର୍ଥୀବ ଶରୀରକୁ ତାଙ୍କ ପୈତୃକ ଗାଁ କେନ୍ଦୁଝରର ଆନନ୍ଦପୁରକୁ ନିଆଯାଇଥିଲା । ସେଠାରେ ପରିବାର ସଦସ୍ୟଙ୍କ ସମେତ, ସାଂଗ ସାଥୀ. ବନ୍ଧୁ, ବାନ୍ଧବ ଶେଷ ଦର୍ଶନ କରିଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୋକାକୂଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ସହିଦ ସୁଶାନ୍ତଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା । ତିନି ବର୍ଷରେ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି ।

ସବୁଠୁ ବିଡ଼ମ୍ବନାର କଥା ହେଉଛି ବର୍ଷକ ମଧ୍ୟରେ ତିନି ଭାଇଙ୍କର ଜୀବନ ଯାଇଛି । ୨୦୨୦ରେ କରୋନାରେ ବାପା ଆତୁଳ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା । ସୁଶାନ୍ତ ଖୁଣ୍ଟିଆ ସହିଦ ହେବା ପରେ ଏକମାତ୍ର ସାହା ଭରସାକୁ ହରାଇବାର ଦୁଃଖକୁ ସହି ପାରିନଥିଲେ ମା’ ସୁନ୍ଦରୀ ଖୁଣ୍ଟିଆ । ସୁନ୍ଦରୀଙ୍କ ଦେହାନ୍ତ ପରେ ପରିବାରରେ କେବଳ ସହିଦ ସୁଶାନ୍ତଙ୍କ ନବବିବାହିତ ପତ୍ନୀ ଓ ତାଙ୍କ ଭାଉଜ ରହିଯାଇଛନ୍ତି । ମାତ୍ର କିଛି ଦିନ ବ୍ୟବଧାନରେ ଗୋଟିଏ ପରିବାରର ଏତେ ଲୋକଙ୍କ ମୃତ୍ୟୁ, ଆନନ୍ଦପୁରରେ ଶୋକର ଛାୟା ଖେଳାଇ ଦେଇଛି ।