ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ପରେ ସଲମାନ ଖାନଙ୍କ ପାଳି ! ଲରେନ୍ସ ବିଷ୍ଣୋଇଙ୍କ ଧମକ ଭିଡିଓ ହେଉଛି ଭାଇରାଲ ।

641

କନକ ବ୍ୟୁରୋ: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଚର୍ଚ୍ଚା ଜୋର ଧରିଛି । ମୁସେୱାଲାଙ୍କ ପରେ ବଲିଉଡ ଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା ନେଇ ତାଙ୍କର ଧମକର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବର୍ଷକ ତଳେ ପୋଲିସ କଷ୍ଟଡିରେ ଥାଇବି ସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ୨୦୨୧ର ଏହି ଭିଡିଓକୁ ନେଇ ଏବେ ଜୋରସୋର ଚର୍ଚ୍ଚା ।

ମକୋକା ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଲରେନ୍ସ ବିଷ୍ଣୋଇଙ୍କୁ ଗିରଫ କରିଥିଲା । ତାଙ୍କ ସହ ଥିଲା ଘନିଷ୍ଠ ସହଯୋଗୀ ସମ୍ପତ ନେହେରା । ସମ୍ପତ ନେହେରା ପୂର୍ବରୁ ସଲମାନ ଖାନଙ୍କ ଘରର ରେକି କରିସାରିଥିଲା । ହେଲେ କିଛି ଅଘଟଣ ଘଟିବା ପୂର୍ବରୁ ନେହେରାକୁ ହରିୟାଣା ପୋଲିସ ଗିରଫ କରିଥିଲା । ଏହି ଗିରଫଦାରୀ ସମୟରେ ପୋଲିସ ଉପସ୍ଥିତିରେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ଲରେନ୍ସ ବିଷ୍ଣୋଇ । ଯେଉଁ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।

କେଉଁ କଥାରେ ସଲମାନଙ୍କ ଉପରେ ରାଗ?

ଯେବେଠୁ ସଲମାନ ଖାନଙ୍କ ବିରୋଧରେ କଳା ମୃଗ ମାରିବାର ଅଭିଯୋଗ ଆସିଥିଲା ସେବେଠୁ ତାଙ୍କ ଉପରେ ଲରେନ୍ସ ବିଷ୍ଣୋଇଙ୍କ ରାଗ । କାରଣ ଲରେନ୍ସ ଯେଉଁ ସମାଜର ସେଠିକାର ଲୋକେ କଳା ମୃଗକୁ ପବିତ୍ର ପଶୁ ବୋଲି ମନେ କରନ୍ତି । ତେଣୁ ଯୋଧପୁରରେ ଫିଲ୍ମ ସୁଟିଂ ଅବସରରେ ଯେତେବେଳେ ସଲମାନ କଳାମୃଗ ମାରିଲେ ସେବେଠୁ ତାଙ୍କ ଉପରେ ରାଗ ରଖିଛନ୍ତି ଲରେନ୍ସ ବିଷ୍ଣୋଇ । କେବଳ ଏତିକି ନୁହେଁ ସଲମାନଙ୍କ ଫିଲ୍ମ ‘ରେଡି’ର ସୁଟିଙ୍ଗ ପରେ ସଲମାନଙ୍କୁ ଆକ୍ରମଣ କରିବାକୁ ଯୋଜନା ମଧ୍ୟ ଯୋଜନା କରିଥିଲେ । କିନ୍ତୁ ଏହା ବିଫଳ ହୋଇଥିଲା ।