ଜମୁଛି ସମ୍ବଲପୁର ଶୀତଳଷଷ୍ଠୀ : ଆଜି ଶିବ ବିବାହ, ମଧ୍ୟରାତ୍ରିରେ ଆଡମ୍ବରରେ ବାହାରିବ ମହାଦେବଙ୍କ ବରଯାତ୍ରୀ

162

କନକ ବ୍ୟୁରୋ : ଆଜି ଶିବ ବିବାହ । ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ଚଳଚଂଚଳ ହୋଇ ଉଠିଛି । ଆଜି ରାତିରେ ସମ୍ପୂର୍ଣ୍ଣ ଲୋକାଚାରରେ ଜଗଜ୍ଜନନୀ ମା’ ପାର୍ବତୀଙ୍କ ସହ ପ୍ରଭୁ ଶିବଶଙ୍କରଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ପାରମ୍ପରିକ ବିବାହ ନୀତି ଅନୁସାରେ ଦେବବିବାହ ପାଇଁ କାର୍ଯ୍ୟକ୍ରମ ଜାରି ରହିଛି ।

ଆଜି ମଧ୍ୟରାତ୍ରିରୁ ମହାଦେବଙ୍କ ବରଯାତ୍ରା ଆରମ୍ଭ ହେବ ଏବଂ ଭୋରରେ ଥିବା ବିବାହ ଲଗ୍ନରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ । ଗତକାଲି ରାତିରେ ଝାଡୁଆପଡା ଓ ମୁଦିପଡା ହନୁମାନ ମହାପ୍ରଭୁ ନିମନ୍ତ୍ରଣ ନେଇ ବିଧି ଅନୁସାରେ ସମସ୍ତ ମନ୍ଦିରରେ ନିମନ୍ତ୍ରଣ ଅନୁଷ୍ଠିତ ହୋଇଛି । ରୀତିନୀତି ଅନୁସାରେ ନଡିଆ, ପଇତା, ଗୁଆ ଓ ମିଠେଇ ଦେଇ ନିଉତା ବା ନିମନ୍ତ୍ରଣ ଦିଆଯାଇଥିଲା । ରାତି ୯ଟାରେ ପ୍ରଥମେ ମହାଦେବଙ୍କ ପିତା ପୂଜା କରିଥିଲେ ଏବଂ ପରେ ନିମନ୍ତ୍ରଣ କରିଥିଲେ । ଶଙ୍ଖ ଧ୍ୱନୀରେ ସହର କମ୍ପୁଥିବା ବେଳେ ରାତି ଦେବ ନିମନ୍ତ୍ରଣରେ ପ୍ରବଳ ଦର୍ଶକଙ୍କ ଭିଡ ଜମିଥିଲା ।

ଅନ୍ୟପକ୍ଷରେ, ଶାନ୍ତିଶୃଙ୍ଖଳାର ସହିତ ଯାତ୍ରା ସମ୍ପନ୍ନ କରିବା ପାଇଁ ସମ୍ବଲପୁର ପୁଲିସ-ପ୍ରଶାସନ ବେଶ୍ ପ୍ରୟାସ ଚଳାଇଛି। ଟାଉନ ଥାନା ପରିସରରେ ଏକ ପୁଲିସ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଖଂଜାଯାଉଥିବା ବେଳେ ବ୍ୟାପକ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି।ଯାତ୍ରା ସମୟରେ ଯେପରି କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ବେଶ ତତ୍ପର ଅଛି ପୋଲିସ ।