ଅଜଣା ଶବର ସାଥୀ ଶାଲୁ ସୈନି । ମହିଳା ହୋଇ ଏଯାଏଁ କରିସାରିଲେଣି ୫୦୦ରୁ ଉର୍ଦ୍ଧ୍ୱ ବେସାହାରା ଶବଙ୍କ ଅନ୍ତିମ ସଂସ୍କାର

319

କନକ ବ୍ୟୁରୋ: ୩୭ ବର୍ଷିୟା ଶାଲୁ ସୈନି ଏବେ ଉତ୍ତରପ୍ରଦେଶ ମୁଜାଫରନଗର ସହରରେ ପ୍ରତ୍ୟେକ ଥାନା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ପ୍ରଶଂସାର ପାତ୍ର । ୨୦୨୦ ମସିହାରୁ ଏବେଯାଏଁ ସେ ୫୦୦ରୁ ଅଧିକ ଅଜଣା ଶବଙ୍କର ଅନ୍ତିମ ସଂସ୍କାର କରିସାରିଲେଣି । ତାଙ୍କର ଏପରି ମହତ କାମ ଲାଗି ତାଙ୍କ ନାଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି ।

ଶାଲୁ ସୈନି, ମୁଜାଫନଗରର ଜଣେ ଜଣାଶୁଣା ସମାଜସେବୀ । ବ୍ୟକ୍ତିଗତ ଜୀବନ ତାଙ୍କର ଅନେକ ସଂଘର୍ଷରେ ଭରା । ୟୁପି ଗଡମୁକ୍ତେଶ୍ୱରର ମୂଳ ବାସିନ୍ଦା ଶାଲୁ ବିବାହ ପରେ ମୁଜାଫରନଗର ଆସିଥିଲେ । କିନ୍ତୁ ବ୍ୟକ୍ତିଗତ ଜୀବନରେ ସମସ୍ୟା ଯୋଗୁଁ ୨୦୧୩ରେ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ । ଏହାପରେ ଦୁଇ କୁନି କୁନି ପିଲାଙ୍କୁ ଧରି ମନରେ ଦମ୍ଭ ରଖି ଆଗକୁ ବଢିବାକୁ ସଙ୍କଳ୍ପ କଲେ । ଶାଲୁ କୁହନ୍ତି ‘ମୋ ନିଜ ଜୀବନରେ ସଂଘର୍ଷ ଦେଖିବା ପରେ ମନରେ ସାହାସ ବାନ୍ଧିିଲି । ଏବେ   ବେସାହାରା ଲୋକଙ୍କୁ ସାହାଯ୍ୟ କରିବା, ଅଜଣା ଅସହାୟ ଶବକୁ ସଂସ୍କାର କରିବା ମୋର ବଡ କାମ । କରୋନା କାଳର ଗୋଟି, ଘଟଣା ମୋତେ ଏଥିପାଇଁ ପ୍ରେରଣା ଦେଇଥିଲା । ୨୦୨୦ରେ କରୋନା ସଙ୍କ୍ରମଣ ଶୀର୍ଷରେ ଥିବା ସମୟରେ ଆମ ଅଞ୍ଚଳରେ ଏକ ଶବ ପଡିଥିବା ଦେଖିଲି । ତାହା ଜଣେ ବୟସ୍କ ଲୋକଙ୍କର ଥିଲା । ପୁରା ଦିନ ସେହିଭଳି ଶବଟି ଖୋଲାରେ ପଡିରହିବା ଦେଖିବା ପରେ ମୁଁ ଆଉ ନିଜକୁ ରୋକିପାରିନଥିଲି । ନିଜେ ତାଙ୍କର ଅନ୍ତିମ ସଂସ୍କାର କରିଥିଲି । ସେବେଠାରୁ ଏପରି ଅଜଣା ଶବଙ୍କର ଅନ୍ତିମ ସଂସ୍କାର କରି ତାଙ୍କ ଆତ୍ମାକୁ ଶାନ୍ତି ଦେବା ମୋ ଜୀବନର ମୂଳ ଲକ୍ଷ୍ୟ ପାଲଟିଛି ।’

ପ୍ରଥମେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଶବଙ୍କ ଅନ୍ତିମ ସଂସ୍କାର କରୁଥିଲେ । ଗୋଟିଏ ଶବର ସଂସ୍କାର କରିବାକୁ ପାଖାପାଖି ୪୦୦୦ ଟଙ୍କା ଖର୍ଚ୍ଚ ହେଉଥିଲା । ନିଜେ ଛୋଟ ଦୋକାନଟିଏ କରି ସେଥିର ଯାହା ରୋଜଗାର କରନ୍ତି ତାକୁ ଏହି ମହତ କାର୍ଯ୍ୟରେ ଖର୍ଚ୍ଚ କରନ୍ତି । କିନ୍ତୁ ଏବେ ତାଙ୍କର ଏପରି କାର୍ଯ୍ୟକୁ ବ୍ୟାପକ ସମର୍ଥନ ମିଳିଛି । କିଛି ସ୍ଥାନୀୟ ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତାର ହାତ ବଢାଇଛନ୍ତି । କୌଣସି ଶବ ଆସିଲେ ଶାଲୁଙ୍କୁ ଖୋଜାପଡେ । ଶ୍ମଶାନରେ ପହନ୍ତି ନିଜ ହାତରେ ଯୁଇ ସଜାଡିବା ଠାରୁ ଆରମ୍ଭ କରି ମୁଖାଗ୍ନି ଦେବା ସବୁ କାର୍ଯ୍ୟ କରନ୍ତି । ଖାଲି ଏତିକି ନୁହେଁ ଯୁଇ ଜଳି ସାରିବା ପରେ ମୃତକଙ୍କ ଅସ୍ଥି ସଂଗ୍ରହ କରି ତାକୁ ବିସର୍ଜନ ମଧ୍ୟ କରନ୍ତି ଶାଲୁ ।

ଯଦି ପୋଲିସ ମୁଜାଫରନଗର ପୋଲିସ ନଜରରେ ଏପରି କୌଣସି ଅଜଣା ଡେଡ୍ ବଡି ପଡେ ତେବେ ସାଙ୍ଗେ ସାଙ୍ଗେ ଶାଲୁ ସୈନିଙ୍କ ପାଖକୁ ଫୋନ୍ କଲ ଆସେ । ଶାଲୁ ଯେଉଁଠି ଥିଲେ ବି ତୁରନ୍ତ ଯାଇ ଶ୍ମାଶାନରେ ପହଞ୍ଚନ୍ତି । ଅପଣାର ଲୋକ ଭାବି ସବୁ କାମ ସମାପନ କରନ୍ତି ।

 ଶାଲୁଙ୍କର ଏପରି ମହତ୍ କାର୍ଯ୍ୟକୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପୋଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ ସମସ୍ତେ ତାଙ୍କର ପ୍ରଶଂସାରେ ଶତମୁଖ ।

ବ୍ୟୁରୋ ରିପୋର୍ଟ- କନକ ନ୍ୟୁଜ ।