ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର: ଗଡବଡ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ । ପିସି ଖୋର ନେତା, ବାବୁ ହେବେ ସାବାଡ

511

କନକ ବ୍ୟୁରୋ: ରତ୍ନଭଣ୍ଡାର କେବେ ଖୋଲିବ, ଏହା ଜାଣିବାକୁ ସାଢ଼େ ଚାରି କୋଟି ଓଡିଆ ଚାହିଁ ରହିଥିବାବେଳେ, ବିଜେପି ସମ୍ବର୍ଦ୍ଧନା ସଭାରୁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ଖୋଲାଯିବ ଓ ରତ୍ନ ଅଳଙ୍କାରର ଗଣତି ମଣତି ହେବ ବୋଲି ସ୍ପଷ୍ଟ କରିଛନ୍ତି । ଯଦି କିଛି ଗଡ଼ବଡ଼ ହୋଇଥିବାର ପ୍ରମାଣ ମିଳେ, ତାହେଲେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ମୋହନ ମାଝୀ । ଏଥିସହ ସରକାରକୁ ଆସିବା ପରେ ଦୁର୍ନିତୀଖୋର ଅଫିସରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ଦେଇଛନ୍ତି ମୋହନ ।

ଏପଟେ ବିଜେପି ନିର୍ବାଚନୀ ଇସ୍ତାହାରରେ ଥିବା ଶୁଭଦ୍ରା ଯୋଜନାକୁ ସେପ୍ଟେମ୍ବର ୧୭ ତାରିଖ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଲାଗୁ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗୀୟ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ରୂପରେଖ ଖୁବଶୀଘ୍ର ଆସିବ ବୋଲି ସୂଚନା ଦେଇଛନ୍ତି ।

ରାଜ୍ୟରେ ବିଜେପି ପ୍ରଥମ ଥର ସରକାର ଗଠନ କରିବା ପରେ ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଜେପିକୁ ବିପୁଳ ବିଜୟ ଦେଇଥିବା କର୍ମୀ ଓ ସମର୍ଥକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଜୟୀ ୭୮ ବିଧାୟକ, ୩ ସ୍ୱାଧୀନ ବିଧାୟକ, ୨୦ ସାଂସଦଙ୍କ ସମେତ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।