ଉଦ୍ୟୋଗ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ରତନ ଟାଟା । ମହାରାଷ୍ଟ୍ର ସରକାର କଲେ ସମ୍ମାନିତ । ଏକନାଥ ସିନ୍ଦେ କହିଲେ, ଏହି ପୁରସ୍କାରର ଏବେ ପ୍ରତିଷ୍ଠା ବଢିଗଲା ।

139

କନକ ବ୍ୟୁରୋ: ରତନ ଟାଟାଙ୍କୁ ମିଳିଲା ଉଦ୍ୟୋଗ ରତ୍ନ ପୁରସ୍କାର । ମହାରାଷ୍ଟ୍ର ସରକାର ଦେଶର ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଶନିବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଏବଂ ଅଜିତ ପାୱାର, ରତନ ଟାଟାଙ୍କ ଘରକୁ ଯାଇ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ମହାରାଷ୍ଟ୍ର ଉଦ୍ୟୋଗିକ ବିକାଶ ନିଗମ ତରଫରୁ ରତନ ଟାଟାଙ୍କୁ ଏକ ଶାଲ ସହ ସହ ପ୍ରଂଶସା ପତ୍ର ଏବଂ ଏକ ସ୍ମୃତି ଚିହ୍ନ ମଧ୍ୟ ପ୍ରଦାନ କରାଯାଇଛି ।

ମହାରାଷ୍ଟ୍ର ସରକାରଙ୍କ ତରଫରୁ ପ୍ରଥମ ଥର ପାଇଁ ଏହି ପୁରସ୍କାର ଆରମ୍ଭ କରାଯାଇଛି । ଯାହା ପରେ ପ୍ରଥମ ବର୍ଷରେ ରତନ ଟାଟାଙ୍କୁ ଏହି ସମ୍ମାନ ଦିଆଯାଇଛି । ଏଥିପାଇଁ ଆସନ୍ତାକାଲି ଔପଚାରିକ ଭାବେ ପୁରସ୍କାର ସମାରୋହ ପାଳନ ହେବାକୁ ଥିବାବେଳେ, ଏହାର ଗୋଟିଏ ଦିନ ପୂର୍ବରୁ ରତନ ଟାଟାଙ୍କ ଘରକୁ ଯାଇ ତାଙ୍କୁ ଏହି ପୁରସ୍କାର ଭେଟି ଦେଇଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ।

ରତନ ଟାଟାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ସମସ୍ତ କ୍ଷେତ୍ରରେ ଟାଟା ସମୁହର ଯୋଗଦାନ ଅତୁଳନୀୟ ଅଟେ । ରତନ ଟାଟାଙ୍କୁ ଉଦ୍ୟୋଗ ରତ୍ନ ସମ୍ମାନରେ ସମ୍ମାନିତ କରିବା ଦ୍ୱାରା ଏହି ପୁରସ୍କାରର ସମ୍ମାନ ବଢିଛି । ମହାରାଷ୍ଟ୍ର ସରକାର ତରଫରୁ ଦିଆଯାଇଥିବା ଏହି ସମ୍ମାନକୁ ସ୍ୱୀକାର କରିଥିବାରୁ ରତନ ଟାଟାଙ୍କୁ ଧନ୍ୟବାଦ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ।

ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟାଟାର ଅର୍ଥ ହେଉଛି ଭରସା । ଷ୍ଟିଲରୁ ଆରମ୍ଭ କରି ଲୁଣ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଆଉ ସବୁ ଅଞ୍ଚଳରେ ଏହା କାମ କରୁଛଇ । ୨୦୨୧-୨୨ ଆର୍ଥିକ ବର୍ଷରେ ଟାଟା କମ୍ପାନୀର ସାମୁହିକ ରାଜସ୍ୱ ୧୨୮ ଅରବ ଡଲାର ରହିଥିଲା ବୋଲି ସେ କହିଛନ୍ତି ।