ରାଜ୍ୟସଭା ନିର୍ବାଚନ । କଂଗ୍ରେସ ପାଇଁ ମୁଣ୍ଡବିନ୍ଧା, ଗୋଟିଏ ଆସନ ପାଇଁ ଏକାଧିକ ଆଶାୟୀ ପ୍ରାର୍ଥୀ

195

କନକ ବ୍ୟୁରୋ: ଦେଶର ୧୫ଟି ରାଜ୍ୟର ୫୭ ରାଜ୍ୟସଭା ଆସନରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ନାମାଙ୍କନ ପତ୍ର ଦାଖଲ ମେ’ ୩୧ ତାରିଖ ଯାଏଁ ଚାଲିବ । ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ଅଧିକ ଭାବେ ୯ଟି ଆସନ ମିଳିପାରେ । ଯଦି ସହଯୋଗୀ ଦଳ ସହଯୋଗ କରନ୍ତି ତେବେ ଏହି ସଂଖ୍ୟା ୧୧ ଯାଏଁ ବଢିପାରେ ।

ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପାଇଁ ପ୍ରାର୍ଥୀ ଚୟ କରିବା ସବୁଠାରୁ ବଡ ଚ୍ୟାଲେଞ୍ଜ ପରିସ୍ଥିତି ସୃଷ୍ଟି କରିଛି । କାରଣ ରାଜ୍ୟସଭା ପାଇଁ ପାର୍ଟିର ସ୍ଥିତି ଭିନ୍ନ ରହିଛି । ରାଜସ୍ଥାନର ଉଦୟପୁରରେ ନିକଟରେ ଶେଷ ହୋଇଥିବା ଚିନ୍ତନ ଶିବରରେ କଂଗ୍ରେସ ହାଇକମାଣ୍ଡ ରାଜନୀତିକ ସମୀକରଣ କରିଥିଲେ । କଂଗ୍ରେସ ୫୦ ପ୍ରତିଶତ ଆସନରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବାକୁ ଘୋଷଣା କରିଛି । ଅନ୍ୟପଟେ ବରିଷ୍ଠ ନେତାଙ୍କୁ ରାଜ୍ୟସଭା ପଠାଇବାକୁ ଚେଷ୍ଟା କରୁଛି । ତେଣୁ ରାଜ୍ୟସଭାକୁ ନିଜର ପ୍ରାର୍ଥୀ ପଠାଇବା ପାଇଁ ଅଡୁଆ ପରିସ୍ଥିତି ହୋଇପାରେ । ଆହୁରି ମଧ୍ୟ କୁହାଯାଉଛି ଯେ, ଗୋଟିଏ ଗୋଟିଏ ଆସନ ପାଇଁ ଏକାଧିକ ଆଶାୟୀ ପ୍ରାର୍ଥୀ କଂଗ୍ରେସର ଚିନ୍ତା ବଢାଇଛି ।

ରାଜ୍ୟସଭାରେ କଂଗ୍ରେସର ୮ଟି ସିଟ୍ ଖାଲି ହେଉଛି ।ଏଥିରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍, ଜୟରାମ ରମେଶ, କପିଲ ଶିବଲ, ଛାୟା ଶର୍ମା, ବିବେକ ତନଖା ଓ ଅମ୍ବିକା ସୋନୀଙ୍କ ପରି ବରିଷ୍ଠ ନେତା । ଅନ୍ୟପଟେ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ପ୍ରମୋଦ ତିୱାରୀ, କୁମାରୀ ସୈଳଜା, ସଞ୍ଜୟ ନିରୁପମ୍, ରାଜୀବ ଶୁକ୍ଳା, ରାଜ ବବ୍ୱରଙ୍କ ପରି ବରିଷ୍ଠ ନେତାଙ୍କ ଲମ୍ବା ତାଲିକା ରହିଛି ଯେଉଁମାନେ ଉଚ୍ଚ ସଦନକୁ ଯିବା ଅପେକ୍ଷାରେ ଅଛନ୍ତି । ଏପରି ସ୍ଥିତିରେ କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ସ୍ଥିତି ଜଟିଳ ହୋଇଛି ।