5-T ସଚିବଙ୍କ ପରିଦର୍ଶନ ପରେ ପ୍ରକଳ୍ପରେ ତତ୍ପରତା । ରାଜଗାଙ୍ଗପୁର ଓଭର ବ୍ରିଜ୍ କାମ ତ୍ୱରାନ୍ୱିତ

858

କନକ ବ୍ୟୁରୋ : ରାଜଗାଙ୍ଗପୁର ଲେବେଲ କ୍ରସିଂଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ ପ୍ରକିୟା ତ୍ୱରାନ୍ୱିତ ହୋଇଛି । ନିର୍ମାଣ କାର୍ଯ୍ୟ ନିମନ୍ତେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ସୋନାଖାନ ଓ କାନସବାହାଲ ମଧ୍ୟରେ ଥିବା ଏହି ପ୍ରକଳ୍ପ ୨୦୧୮ମସିହାରେ ଆରମ୍ଭ ହୋଇଥିଲା । ମାତ୍ର ଜମି ଅଧିଗ୍ରହଣ ଜନିତ ସମସ୍ୟା ଥିବାରୁ ୨୦୨୨ରେ ଏହାର ଟେଣ୍ଡର ବାତିଲ କରାଯାଇଥିଲା ।

ପ୍ରକାଶଥାଉ କି, ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5-T ସଚିବ ଭି.କେ.ପାଣ୍ଡିଆନଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମୟରେ ସେ ରାଜଗାଙ୍ଗପୁରର ଏହି ବ୍ରିଜ ନିର୍ମାଣ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ । ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ । 5-T ସଚିବଙ୍କ ଏହି ଗସ୍ତ ସମୟରେ ଜନସାଧାରଣମାନେ ତାଙ୍କୁ ଭେଟି ଥିଲେ ଏବଂ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବାକୁ 5-T ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।