ଆଜି ଗୁରୁ ଦିବସ : ୭୫ଜଣ ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି; ଓଡିଶାର ୨ ଜଣ ହେବେ ସମ୍ମାନୀତ

139

କନକ ବ୍ୟୁରୋ : ଆଜି ଗୁରୁ ଦିବସ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ ଜଣ ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପ୍ରଦାନ କରିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କ ସହ ଆଲୋଚନା କରିଛନ୍ତି । ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ମେଧାବୀ ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ ।

ଦେଶର ଯୁବ ମସ୍ତିଷ୍କକୁ ବିକଶିତ କରିବାରେ ଶିକ୍ଷକମାନଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଶଂସା କରିଛନ୍ତି । ଦେଶର ଭାଗ୍ୟ ନିର୍ଦ୍ଧାରଣରେ ଭଲ ଶିକ୍ଷକଙ୍କ ଭୂମିକା ଉପରେ ସେ ଆଲୋକପାତ କରିଥିଲେ । ତୃଣମୂଳ ସ୍ତରରୁ ସଫଳତା ହାସଲ କରିଥିବା ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ପ୍ରେରଣା ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଆମର ସ୍ଥାନୀୟ ଐତିହ୍ୟ ଏବଂ ଇତିହାସ ଉପରେ ଗର୍ବ କରିବା ବିଷୟରେ ଆଲୋଚନା କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଂଚଳର ଇତିହାସ ଏବଂ ସଂସ୍କୃତି ବିଷୟରେ ଜାଣିବା ପାଇଁ ପ୍ରେରିତ କରିବା ପାଇଁ ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ ।

ଦେଶରେ ବିବିଧତାର ଶକ୍ତି ଉପରେ ଆଲୋକପାତ କରି ସେ ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ନିଜ ବିଦ୍ୟାଳୟରେ ଦେଶର ବିଭିନ୍ନ ପ୍ରାନ୍ତର ସଂସ୍କୃତି ଏବଂ ବିବିଧତାକୁ ପାଳନ କରନ୍ତୁ । ଚନ୍ଦ୍ରଯାନ-୩ର ସଦ୍ୟ ସଫଳତା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ବିଜ୍ଞାନ ଓ ପ୍ରୟୁକ୍ତି ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁବପିଢ଼ିଙ୍କୁ ଦକ୍ଷ କରିବା ସହ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।