ପଦ୍ମପୁରରେ ରେଡକୁ ନେଇ ରାଜନୀତି । ମୁହାଁମୁହିଁ ହେଲେ ବିଜେଡି-ବିଜେପି । ପଢନ୍ତୁ, କିଏ କହିଲେ କଣ?

127

କନକ ବ୍ୟୁରୋ: ପଦ୍ମପୁରରେ ଜିଏସଟି ରେଡକୁ ନେଇ ବଢ଼ିବାରେ ଲାଗିଛି ରାଜନୀତି । ଜିଏସଟି ରେଡ୍ ସମୟରେ, ବିଜେପି ବିଧାୟକ ଓ ନେତା ପହଁଚିବା ଓ ପ୍ରଶ୍ନ କରିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଏପରିକି ବିଜେପି ନେତାମାନେ ୟୁପି ଓ ବିହାର ଷ୍ଟାଇଲରେ ଅପରାଧ ଘଟାଇବାକୁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରି ସେମାନଙ୍କୁ ତଡିପାର କରିବାକୁ ଦାବି କରିଛନ୍ତି । ବିଜେଡିର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଶାସକ ଦଳ ରାଜନୀତି କରୁଥିବା କହିଛି ବିଜେପି ।

ରେଡ୍ ସମୟର ଦୁଇଟି ଚିତ୍ର ପଦ୍ମପୁର ରାଜନୀତିକୁ ଉଷ୍ମ କରିରଖିଛି । ଗୋଟିଏ ଚିତ୍ରରେ ଜିଏସଟି ଅଧିକାରୀଙ୍କ ସହ ବିଜେପି ବିଧାୟିକାଙ୍କ ଯୁକ୍ତିତର୍କ ହେଉଥିବାବେଳେ । ଆଉ ଗୋଟିଏ ଚିତ୍ରରେ ଗରାଖ ବେଶରେ ବିଜେପି ନେତା ଥିବା ଦେଖିବାକୁ ମିଳିଛି । ତେବେ ପାଇକମାଲରେ ସିଟି ଜିଏସଟି ଚଢାଉ କରୁଥିବା ବେଳେ ଅଧିକାରୀଙ୍କୁ ଘେରି ଯାଇ ଅଧିକାରୀଙ୍କୁ ପରିଚୟ ମାଗୁଛନ୍ତି ବିଧାୟକ । ଏମିତି କି ରେଡରୁ କ’ଣ ପ୍ରମାଣ ମିଳିଲା ବୋଲି ପ୍ରଶ୍ନ କରୁଛନ୍ତି । ଆଉ ଏହା ଭିତରେ ଶୁଭୁଛି, ଯେଉଁ ଘରେ ଚଢାଉ ଚାଲିଥିଲା, ସେହି ଘରେ ଜଣେ ହୃଦରୋଗୀ ଥିବାବେଳେ ତାଙ୍କୁ ଘରେ ବନ୍ଦ କରି ରେଡ୍ କରିଥିଲେ ଅଧିକାରୀ । ଠିକ୍ ସେହିପରି ଲୁଗା ଦୋକାନରେ ରେଡ୍ ବେଳେ ବିଜେପି ନେତାଙ୍କ ଉପସ୍ଥିତିକୁ ନେଇ ବିଜେଡି ଟାର୍ଗେଟ୍ କରିଛି ।

  • ରେଡକୁ ନେଇ ରାଜନୀତି
  • ମୁହଁମୁହିଁ ବିଜେପି-ବିଜେଡ଼ି

ଆଇଟି ରେଡ୍ ପରେ ଜିଏସଟି ରେଡ୍ । ଏହି ରେଡ୍ ପଛରେ ରାଜନୀତି ଥିବା ଅଭିଯୋଗ ଭିତରେ ବିଜେପିକୁ ହିଂସା ଭିଆଉଥିବା ଅଭିଯୋଗ କରିଛି ବିଜେଡି । ସାଂସଦ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି, ବିଜେପି ନେତା ମାନେ ୟୁପି ଏବଂ ବିହାର ଶୈଳୀରେ ହିଂସା କରିବାକୁ ପ୍ରୟାସ କରୁଛନ୍ତି । ଏନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ସହ ବିଜେପିର ୪ ନେତା, କୁସୁମ ଟେଟେ, ପିଙ୍କି ପ୍ରଧାନ, ଠାକୁର ରଣଜିତ ଦାସ ଏବଂ କାଳନ୍ଦୀ ସାମଲଙ୍କୁ ପ୍ରଚାରରୁ ବାଦ୍ ଦେବାକୁ ଦାବି କରିଛି ବିଜେଡି । ଏପଟେ କଳନ୍ଦୀ ସାମଲ କହିଛନ୍ତି, ଆବଶ୍ୟକ ପଡ଼ିଲେ ଏହି ପ୍ରସଙ୍ଗକୁ ନେଇ କୋର୍ଟର ଦ୍ୱାରସ୍ଥ ହେବେ ।

ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ରେଡ୍ କରିବା ପଛରେ ରାଜନୈତିକ ଉର୍ଦ୍ଦେଶ୍ୟ ଥିବା ବିଜେପି ଅଭିଯୋଗ କରିଥିବା ବେଳେ ବିଜେଡି ପ୍ରଶ୍ନ କରିଛି, ଜିଏସଟି ରୋଡ୍ ବେଳେ ବିଜେପି ନେତାଙ୍କର କାମ କ’ଣ? ତେବେ ବିଜେଡି ବିଜେପିର ଟଣାଓଟରା ଭିତରେ କଂଗ୍ରେସ ଏହାକୁ ପଲିଟିକାଲ ରେଡର ନାଁ ଦେଇଛି ।

ରାଜନୀତିର ଏହି ଟଣାଓଟରା ଭିତରେ ପ୍ରଶ୍ନ ହେଉଛି

  • ଇନକମ ଟ୍ୟାକ୍ସ ଓ ଜିଏସଟି ରେଡରୁ ମିଳିଲା କ’ଣ?
  • ରାଜନୈତିକ ଉଦ୍ଦେଶ୍ୟ ରଖି ରେଡ୍ ହୋଇଥିଲା ନା’ ରେଡ୍ ପଛରେ ସତରେ ଅନିୟମିତତା ଥିଲା ?
  • ରେଡ ପରେ କେଉଁ କେଉଁ ବ୍ୟବସାୟୀଙ୍କ ବିରୋଧରେ କି କି କାର୍ଯ୍ୟାନୁଷ୍ଠାନ ହୋଇଛି ?