ଅଙ୍ଗନବାଡି ଛାତରୁ ଖସୁଛି ପ୍ଲାଷ୍ଟର: ଗଛମୂଳରେ ବସି ପଢୁଛନ୍ତି କୁନି କୁନି ପିଲା, ବିପଦସଙ୍କୁଳ ଘରେ ଚାଲିଛି ରୋଷେଇ

23

କନକ ବ୍ୟୁରୋ: ଅଙ୍ଗନବାଡ଼ି କେନ୍ଦ୍ରରୁ ଖସୁଛି ସିମେଣ୍ଟ ଅତଡ଼ା। ବିପଦ ସଙ୍କୁଳରେ ଅବସ୍ଥାରେ ବସୁଛନ୍ତି ଶୈଶବ। କେନ୍ଦୁଝର ଜିଲ୍ଲା ଯୋଡା ସହର, ଯେଉଁଠାରୁ ରାଜ୍ୟ ସରକାରଙ୍କୁ ମିଳେ କୋଟି କୋଟି ଟଙ୍କା । ଜିଲ୍ଲା ଖଣିଜ ପାଣ୍ଠିକୁ ଯାଏ କୋଟି କୋଟି ଟଙ୍କା । ହେଲେ ଖଣି ପ୍ରଭାବିତ ଅଞ୍ଚଳ ଭବିଷ୍ୟତ ଆଜି ବିପଦରେ। ଯୋଡା ସହର ମଧ୍ୟ ଭାଗରେ ଥିବା ୪ ନମ୍ୱର ୱାର୍ଡର ଅଙ୍ଗନବାଡ଼ି କେନ୍ଦ୍ରକୁ ଦେଖିଲେ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ବସ୍ତିର ଅନେକ ଶିଶୁ ଏଠାରେ ଶିକ୍ଷାର ମୂଳଦୁଆ ପକାଉଛନ୍ତି । ବଡ ବଡ ଫଳକ ଲଗାଯାଇଥିବା ଏହି ଅଙ୍ଗନବାଡ଼ିର ଛାତରୁ ପ୍ଲାଷ୍ଟର ଖସି ଲୁହା ରଡ଼ ଦେଖାଯାଉଛି । ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ହେଲାଣି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ଏହାକୁ ବିପଦ ସଙ୍କୁଳ ଗୃହ ଭାବେ ଯୋଡା ସିଡିପିଓ ଘୋଷଣା କରିଛନ୍ତି। ତଥାପି କୌଣସି ବ୍ୟବସ୍ଥା ନଥିବାରୁ ଗୃହଟିକୁ ବର୍ତ୍ତମାନ ପର୍ୟ୍ୟନ୍ତ ବ୍ୟବହାର କରାଯାଉଛି । ଏଠାରେ ଖାଦ୍ୟ ପ୍ରସ୍ତୁତ କରି ପିଲାଙ୍କୁ ଖାଇବାକୁ ଦିଆଯାଉଥିବା ବେଳେ ପାଠପଢା ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମ ଗଛମୂଳେ ଚାଲିଛି । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହି ଗୃହ ନିର୍ମାଣ କରାଯାଉ ନଥିବା ଅଭିଯୋଗ ହୋଇଛି ।