ପେଗାସସ୍ ମାମଲା : ସୁପ୍ରିମକୋର୍ଟରେ ପ୍ରଥମ ଶୁଣାଣି, କୋର୍ଟ କହିଲେ ଯଦି ମିଡିଆ ରିପୋର୍ଟ ସତ୍ୟ ତେବେ ମାମଲା ସଂଗୀନ

94

କନକ ବ୍ୟୁରୋ : ପେଗାସସ ଗୁପ୍ତଚର ମାମଲାର ଯାଂଚ ପାଇଁ ୯ ଜଣ ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ଅଭିଯୋଗ ଉପରେ ଆଜି ଏକା ସାଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏହି ଆବେଦନ ମଧ୍ୟରେ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ଏନ.ରାମ ଓ ଶଶି କୁମାରଙ୍କ ଦ୍ୱାରା କରାଯାଇଥିବା ଆବେଦନ ବି ସାମିଲ ରହିଛି ।

ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି କି ଯଦି ଗଣମାଧ୍ୟମର ସୂଚନା ସତ୍ୟ, ତେବେ ମାମଲା ଅତି ସମ୍ବେଦନଶୀଳ । ଅନ୍ୟପଟେ ଏନେଇ ଜନସ୍ୱାର୍ଥ ମାମଲା ଦାଖଲ କରିଥିବା ଓକିଲ ଏମ.ଏଲ ଶର୍ମା କୋର୍ଟର ଶୁଣାଣି ବେଳେ କପିଲ ଶିବଲଙ୍କୁ ରୋକିବାରୁ ମୁଖ୍ୟ ବିଚାରପତି ଏମ.ଏଲ ଶର୍ମାଙ୍କ ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ମୁଖ୍ୟ ବିଚାରପତି ଏନ.ବି ରମନ୍ନା କହିଥିଲେ କି ଆପଣଙ୍କ ଆବେଦନରେ ଖବର କାଗଜର କଟିଂ ଠାରୁ ଅଧିକ କ’ଣ ପ୍ରମାଣ ରହିଛି ?, ଆପଣ କଣ ଚାହୁଁଛନ୍ତି କି କୋର୍ଟ ଯାଂଚ କରିବା ସହ ତଥ୍ୟ ଯୋଗାଡ କରିବ, ଏଭଳି ତରିକାରେ ଜନସ୍ୱାର୍ଥ ମାମଲା ଦାଖଲ କରିବା ଉଚିତ୍ ନୁହେଁ ।

ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ କହିଥିଲେ କି ଏହି ମାମଲାରେ ବିଦେଶୀ କମ୍ପାନୀ ମାନଙ୍କର ସଂପୃକ୍ତି ଥିବାରୁ ଏହା ଏକ ଜଟିଳ ମାମଲା   । ନୋଟିସ ନେବା ପାଇଁ କେନ୍ଦ୍ର ତରଫରୁ କୌଣସି ବ୍ୟକ୍ତି କୋର୍ଟରେ ଉପସ୍ଥିତ ରହିବା ଦରକାର । ଏହା ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି ।