ୱାସିମ ଅକ୍ରମ ବଖାଣିଲେ ଅତୀତର ଅନୁଭୂତି । ଭାରତୀୟଙ୍କୁ ଜଣାଇଲେ କୃତଜ୍ଞତା

334

କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟର ପୂର୍ବତନ କ୍ୟାପ୍ଟେ୍ନ ତାଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକର ଉନ୍ମୋଚନ ଉପଲକ୍ଷେ ଏକ ସାକ୍ଷାତକାରରେ ନିଜ ଜୀବନର ଏକ ଘଡିସନ୍ଧୀ ମୂହୁର୍ତ୍ତକୁ ମନେ ପକାଇଛନ୍ତି । ଏଥିରେ ଭାରତୀୟଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି:

‘ମୋ ପତ୍ନୀ ହୁମାଙ୍କ ଦେହ ଖରା ହୋଇଥାଏ । ମୁଁ ତାଙ୍କୁ ଫ୍ଲାଇଟ୍ରେ ଚିକିତ୍ସା ପାଇଁ ସିଙ୍ଗାପୁର ନେଇ ଯାଉଥାଏ । ହେଲେ ଫୁଏଲ ଭରିବାକୁ ବିମାନକୁ ଚେନ୍ନାଇରେ ଅବତରଣ କରିବାକୁ ପଡିଲା । ସେତେବେଳକୁ ହୁମାଙ୍କ ଅବସ୍ଥା ପୁରା ସଙ୍ଗୀନ ଥିଲା । ସେ ଚେତାଶୂନ୍ୟ ହୋଇପଡିଥିଲେ । ହେଲେ ତୁରନ୍ତ ଚିକିତ୍ସା ପାଇଁ ମୋ ପାଖରେ ଭାରତର ଭିସା ନଥିଲା । ମୁଁ ବହୁତ କାନ୍ଦିଥିଲି । ଯେତେବେଳେ ଚେନ୍ନାଇ ବିମାନବନ୍ଦରରେ ଓହ୍ଲାଇଲି ସେଠିକାର ଲୋକେ ମୋତେ ଚିହ୍ନିଲେ । ସେଠାରେ ଥିବା ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସୁରକ୍ଷା କର୍ମୀ, କଷ୍ଟମ ଅଧିକାରୀ ଓ ଇମିଗ୍ରେସନ୍ ଅଧିକାରୀ ମୋତେ ଚିହ୍ନିଲେ । ଆଉ ଭିସା କଥା ଚିନ୍ତା ନକରି ତୁରନ୍ତ ହୁମାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ କହିଲେ । ସେମାନେ ମୋ ପାଇଁ ଭାରତର ଭିସା ବନ୍ଦୋବସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅବଶ୍ୟ ହୁମା ଆଉ ବଞ୍ଚିଲେନି । ହେଲେ ସେଦିନ ଭାରତୀୟ ଅଧିକାରୀଙ୍କ ସହଯୋଗ ଓ ଭରସାକୁ ମୁଁ ଜଣେ କ୍ରିକେଟର ଭାବେ ଏବଂ ଜଣେ ସାଧାରଣ ବ୍ୟକ୍ତି ଭାବରେ କେବେବି ଭୁଲିପାରିବି ନାହିଁ ।’

ପାକିସ୍ତାନର ପ୍ରଖ୍ୟାତ କ୍ରିକେଟର ତଥା ପୂର୍ବତନ କ୍ୟାପ୍ଟେନ୍ ୱସିମ୍ ଅକ୍ରମ ଷ୍ଟାର୍ସ ସ୍ପୋର୍ଟ୍ସ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏଭଳି କହି ଭାରତୀୟଙ୍କ ଭୁରି ପ୍ରଶଂସା କରିଛନ୍ତି । ପ୍ରଥମ ପତ୍ନୀ ହୁମାଙ୍କ ମୃତ୍ୟୁକୁ ନେଇ ଏକ ଭାବବିହ୍ୱଳ କଥା ସେୟାର କରିଛନ୍ତି । ସୂଚନା ମୁତାବକ, ହାର୍ଟ ସମସ୍ୟା ଓ କିଡନୀ ସମସ୍ୟାକୁ ନେଇ ହୁମାଙ୍କର ୨୦୦୯ରେ ମାତ୍ର ୪୨ ବର୍ଷ ବୟସରେ ପରଲୋକ ହୋଇଗଲା ।

୧୯୯୫ରେ ୱାସିମ ଅକ୍ରମ ଓ ହୁମାଙ୍କର ବିବାହ ହୋଇଥିଲା । ହୁମା ଏକ ସାଇକୋଲେଜିଷ୍ଟ ଥିଲେ । ଏହି ଆଧାରରେ ସେ ୧୯୯୧ରୁ ୧୯୯୪ ଯାଏଁ ପାକିସ୍ତାନୀ କ୍ରିକେଟ ଟିମର ମନସ୍ତତ୍ତ୍ୱ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ଏହି ସମୟରେ ଅସିମଙ୍କ ସହ ହୁମାଙ୍କର ଦେଖା ହୋଇଥିଲା । ୧୯୯୩ରୁ ୧୯୯୪ ମଧ୍ୟରେ ଯେତେବେଳେ ୱାସିମଙ୍କ କ୍ୟାପ୍ଟେନସିପ୍କୁ ନେଇ ବିଦ୍ରୋହ ଆରମ୍ଭ ହୋଇଥିଲା ସେତେବେଳେ ହୁମା ତାଙ୍କୁ ଖୁବ୍ ସମର୍ଥନ କରିଥିଲେ । ଏହି ମନୋଭାବ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଦୁହିଁଙ୍କ ବୈବାହିକ ସମ୍ପର୍କ ବହୁତ ଭଲ ଭାବେ ଚାଲିଥିଲା । କିନ୍ତୁ ୨୦୦୯ରେ ହଠାତ୍ ତାଙ୍କ ଦେହ ଖରାପ ହୋଇଗଲା । ତାଙ୍କୁ ଅନେକ ଚିକିତ୍ସା ପରେ ତାଙ୍କର କୌଣସି ଉନ୍ନତି ଦେଖାଗଲା ନାହିଁ । ହୁମାଙ୍କୁ ଜର ଆଦୌ କମୁନଥିଲା । ଫଳରେ ଚିକିତ୍ସା ପାଇଁ ସିଙ୍ଗାପୁର ନେଇଯାଉଥିଲେ । ହେଲେ ସେଠାରେ ପହଞ୍ଚିପାରିଲେନି । ଚେନ୍ନାଇ ଏୟାରପୋର୍ଟରେ ତାଙ୍କ ଚିକିତ୍ସା ପାଇଁ ଅନେକ ଚେଷ୍ଟା କଲେ ବି ହୁମାଙ୍କ ଜୀବନ ବଞ୍ଚିପାରିଲାନି । ଭାରତ ମାଟିରେ ଶେଷ ନିଃଶ୍ୱାସ ଛାଡିଲେ ହୁମା ।

ସ୍ୱିଙ୍ଗ ସୁଲତାନ୍ ୱାସିମ ଅକ୍ରମଙ୍କ ଜୀବନୀ ‘ସୁଲତାନ- ଏ -ମୋଏର’ ପୁସ୍ତକରେ ଉଲ୍ଲେଖ କରାଯାଇଛି ।ଅକ୍ରମ ପାକିସ୍ତାନ ପାଇଁ ୧୦୪ଟି ଟେଷ୍ଟ ମ୍ୟାଚ୍, ୩୫୬ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ ୪୧୪ଟି ୱିକେଟ୍ ହାସିଲ କରିଛନ୍ତି । ଏବଂ ଦିନିକିଆରେ ୫୦୨ ୱିକେଟ ନେଇଛନ୍ତି । ୨୦୦୩ରେ ପାକିସ୍ତାନ ପାଇଁ ଅନ୍ତିମ ମ୍ୟାଚ ଖେଳିଥିଲେ ଅକ୍ରମ । ତେବେ କ୍ରିକେଟ ପିଚରେ ଯାହା ହେଉ ନା କାହିଁକି ବ୍ୟକ୍ତିଗତ ସ୍ତରରେ ଭାରତୀୟଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ତାଙ୍କୁ ପ୍ରଶଂସାର ପାତ୍ର କରିଛି ।