ଇମ୍ରାନ ଖାନଙ୍କ ବଢିଲା ଅଡୁଆ : ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପିଟିଆଇ ମୁଖ୍ୟ

71

କନକ ବ୍ୟୁରୋ : ବଢିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ । କୌଣସି ମୁହୁର୍ତ୍ତରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ । ଜାମିନ୍ ବିହୀନ ଗିରଫ ପରୱାନା ଧରି ଇମ୍ରାନଙ୍କ ଘରେ ପହଞ୍ଚିଥିଲା ଇସଲାମାବାଦ ପୋଲିସ । ତେବେ ଇମ୍ରାନ୍ ତାଙ୍କ ଘରେ ନଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଇମ୍ରାନ ଗିରଫଦାରିକୁ ଏଡାଇବା ପାଇଁ ଲାହୋଇ ହାଇକୋର୍ଟରେ ଆଶ୍ରୟ ନେଇଛନ୍ତି । ଫଳରେ ସେଠାରୁ ଖାଲି ହାତରେ ଫେରିଆସିଛି ପୋଲିସ । ଏହା ପରେ ଇମ୍ରାନ ସର୍ବସମ୍ମୁଖକୁ ଆସି କର୍ମୀଙ୍କୁ ସମ୍ବୋଧନ କରି ଦେଶର ସରକାର ଉପରେ ବର୍ଷିଛନ୍ତି । ଲାହୋରର ଜମାନା ପାର୍କରୁ ଦେଶବାସୀଙ୍କୁ ଇମ୍ରାନ ସମ୍ବୋଧନ କରୁଥିବା ବେଳେ ବାହାର ଗିରଫ କରିବା ପାଇଁ ପୁଲିସ ଜଗି ରହିଛି ।

ଇମ୍ରାନ ଖାନକୁ ତୋଷାଖାନ ଦୁର୍ନୀତି ମାମାଲରେ ଗିରଫ କରିବା ପାଇଁ ଇସଲାମାବାଦ ସେସନ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏନେଇ କୋର୍ଟ ୭ ଥର ଇମ୍ରାନଙ୍କୁ ହଜାର ହେବାକୁ ନୋଟିସ୍ ଜାରି କରିଥିଲେ ବି ସେ ହଜାର ହୋଇନଥିଲେ । ଫଳରେ କୋର୍ଟ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି । କିନ୍ତୁ ଇମ୍ରାନ ପାକିସ୍ତାନ ସରକାରଙ୍କୁ ଦୋଷ ଦେଇ ତାଙ୍କୁ ଫସାଇ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି । ଆଉ କହିଛନ୍ତି, ପାକିସ୍ତାନ ଗୁଏନ୍ଦା ସଂସ୍ଥା ଆଇଏସଆଇ ଓ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଚାହୁଁଛନ୍ତି ।

ଏଥିସହ ତୋଷଖାନା ମାମଲାର ଶୁଣାଣିକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି । ସେପଟେ ପିଟିଆଇ ନେତା ଫୱାଦ ଚୌଧୁରୀ କହିଛନ୍ତି, ମହଙ୍ଗା ଦର ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଶେହବାଜ ସରକାର ଇମ୍ରାନଙ୍କୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି । ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଦେଶରୁ ମିଳିଥିବା ଉପହାରକୁ ବିକ୍ରି କରି ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଆଉ ଯେକୌଣସି ମୂହୂର୍ତରେ ତାଙ୍କୁ ଇସଲାମାବାଦ ପୁଲିସ ଗିରଫ କରିବା ସମ୍ଭାବନା ରହିଛି ।