ପାକିସ୍ତାନରେ କେବେ ହେବ ସାଧାରଣ ନିର୍ବାଚନ । କୋର୍ଟଙ୍କୁ ସୂଚନା ଦେଲେ ନିର୍ବାଚନ କମିଶନ

125

କନକ ବ୍ୟୁରୋ : କେବେ ହେବ ପାକିସ୍ତାନରେ ସାଧାରଣ ନିର୍ବାଚନ । ଏହାକୁ ନେଇ ଅନେକ ଦିନରୁ କଳ୍ପନା ଜଳ୍ପନା ଲାଗି ରହିଥିଲା । ପାକିସ୍ତାନ ନିର୍ବାଚନ କମିଶନ ଗୁରୁବାର ଦିନ ଦେଶର ସୁପ୍ରିମକୋର୍ଟରେ କହିଛନ୍ତି କି ୨୦୨୪ ଫେବୃଆରୀ ୧୧ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ପାକିସ୍ତାନର ଆଇନ ମୁତାବକ ନ୍ୟାସନାଲ ଆସେମ୍ବଲି ଓ କ୍ଷେତ୍ରୀୟ ବିଧାନସଭା ଭାଙ୍ଗିବାର ୯୦ ଦିନ ମଧ୍ୟରେ ନିର୍ବାଚନ ହେବା କଥା ।

ଜାନୁଆରୀ ୨୯ ତାରିଖ ସୁଦ୍ଧା ନିର୍ବାଚନ ମଣ୍ଡଳୀ ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ କମିଶନଙ୍କ ଓକିଲ ସାଜିଲ ସ୍ୱାତୀ କୋର୍ଟଙ୍କୁ ଜଣାଇଛନ୍ତି । ସୁପ୍ରିମକୋର୍ଟର ବାର୍ ଆସୋସିଏସନ, ପାକିସ୍ତାନ ତେହେରିକ-ଏ-ଇନସାଫ, ମୁନୀର ଅହମ୍ମଦ ଏବଂ ଇବାଦ୍-ୟୁର-ରେହମାନଙ୍କ ସମେତ ବିିଭିନ୍ନ ପକ୍ଷଙ୍କ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ଖୁଲାସା କରିଛନ୍ତି ।

ଆବେଦନ ଉପରେ ୯୦ ଦିନ ମଧ୍ୟରେ ନିର୍ବାଚନ ସମୟସୀମା ସଂପର୍କରେ ମତାମତ ଦେବାକୁ କୋର୍ଟ ଉଭୟ ଇସିପି ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ । ପାକିସ୍ତାନର ମୁଖ୍ୟ ବିଚାରପତି କାଜି ଫୈଜ ଇସା କହିଛନ୍ତି କି, ସମସ୍ତେ ନିର୍ବାଚନ ଚାହୁଁଛନ୍ତି । ଶୁଣାଣି ସମୟରେ ପିଟିଆଇର ଓକିଲ ଅଲ୍ଲୀ ଜାଫର ଯୁକ୍ତି ବାଢିଥିଲେ ଯେ ୯୦ ଦିନ ମଧ୍ୟରେ ନିର୍ବାଚନ ହେବା ଉଚିତ୍ । ତେବେ ଏହି ଅନୁରୋଧ ପ୍ରଭାବହୀନ ହୋଇଛି ବୋଲି ସିଜେପି ଇସା କହିଛନ୍ତି । ନିର୍ବାଚନରେ ବିଳମ୍ବ ମୌଳିକ ଅଧିକାରର ଉଲଙ୍ଘନ ବୋଲି ଜାଫର ଯୁକ୍ତି ବାଢିଥିଲେ ।

ପିଟିଆଇ ଦ୍ୱାରା ନିର୍ବାଚିତ ପାକିସ୍ତାନର ରାଷ୍ଟ୍ରପତି ପ୍ରଥମେ ନଭେମ୍ବର ୬ ତାରିଖ ସୁଦ୍ଧା ନିର୍ବାଚନ କରାଇବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ନିର୍ବାଚନ ତାରିଖ ଘୋଷଣା କରିବାର ଅଧିକାର ରାଷ୍ଟ୍ରପତିଙ୍କ ପାଖରେ ନୁହେଁ ବରଂ ନିର୍ବାଚନ କମିଶନଙ୍କ ପାଖରେ ରହିଛି ।