ନିଟ୍ ପେପର ଲିକ୍ ମାମଲାରେ ଆଉ ଜଣେ ଗିରଫ । ସାମ୍ବାଦିକ ଜମାଲୁଦ୍ଦିନଙ୍କୁ ଗିରଫ କଲା ସିବିଆଇ

120

କନକ ବ୍ୟୁରୋ: ନିଟ୍ ୟୁଜି ପେପରଲିକ୍ ମାମଲାରେ ବଢିଲା ଗିରଫଦାରୀ ସଂଖ୍ୟା । ଶନିବାର ଏହି ମାମଲାରେ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି ସିବିଆଇ । ହଜାରୀବାଗରୁ ସାମ୍ବାଦିକ ଜମାଲୁଦ୍ଦିନଙ୍କୁ ଗିରଫ କରିଛି ସିବିଆଇ । ଏଥିସହ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ସିବିଆଇ ଏହି ମାମଲାରେ ଓଏସିସି ସ୍କୁଲ ହଜାରୀବାଗର ପ୍ରିନ୍ସିପାଲ ଏହସାନ୍ ଉଲ ହକ, ଭାଇସ୍ ପ୍ରିନ୍ସିପାଲ ଇମତିଆଜ୍ ଆଲମ, ମନୀଷ ଏବଂ ଆଶୁତୋଷଙ୍କୁ ଗିରଫ କରିଥିଲା । ଆଉ ଏବେ ସାମ୍ବାଦିକ ଜମାଲୁଦ୍ଦିନଙ୍କୁ ମଧ୍ୟ ଗିରଫ କରାଯାଇଛି ।

ସିବିଆଇ ଯାଞ୍ଚ କରିବା ସମୟରେ ପ୍ରିନ୍ସିପାଲ ଏହସାନ୍ ଉଲ ହକଙ୍କ ସହ ଦୁଇ ଝଣ ସାମ୍ବାଦିକ କନେକ୍ସନରେ ଥିବା ଜାଣିବାକୁ ପାଇଥିଲା । ଯାହା ଭିତରୁ ଜଣେ ସାମ୍ବାଦିକ ଜମାଲୁଦ୍ଦିନଙ୍କୁ ଗିରଫ କରାଯାଇଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସାମ୍ବାଦିକ ଜଣ ଝାଡଖଣ୍ଡର ଗୋଟିଏ ହିନ୍ଦୀ ଖବରକାଗଜର ସାମ୍ବାଦିକ ଅଟନ୍ତି ।

ତେବେ ସାମ୍ବାଦିକ ଜଣକ ପେପର ଲିକ୍ ସମୟରେ ପ୍ରିନ୍ସିପାଲଙ୍କ ସହ ଲଗାତାର କଥା ହେଉଥିଲେ । ଏହସାନ୍ ଉଲ୍ ହକଙ୍କ କଲ୍ ଡିଟେଲ୍ସ ଆଧାରରେ ସିବିଆଇ ସାମ୍ବାଦିକ ଜଣଙ୍କୁ ପଚରାଉଚୁରା ପାଇଁ ଡାକିଥିଲା । ଆଉ ଏହାପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଜାଣିରଖିବା ଉଚିତ୍ ଯେ, ନିଟ୍ ପେପରଲିକ୍ ମାମଲାରେ ଏବେ ଆକ୍ସନ ମୋଡରେ ସିବିଆଇ । ଇକୋନୋମିକ୍ସ ଅଫେନ୍ସ ୟୁନିଟର ଯାଞ୍ଚକୁ ଆଗକୁ ବଢାଇବା ସହ ଏହି ବଡ ଲିଡରେ ଆଗକୁ ବଢୁଛି ସିବିଆଇ । ଅନ୍ୟପଟେ ଗୁଜରାଟ ଏବଂ ଅନ୍ୟ ସ୍ଥାନରେ ମଧ୍ୟ ଏବେ ବି ଛାନଭିନ୍ ଜାରି ରହିଛି ।