ଗୋଟିଏ ପଟେ ଜାରି ରହିଛି ସଚିବଙ୍କ ଗସ୍ତ, ଅନ୍ୟପଟେ ଚାଲିଛି ପ୍ରତିବାଦ: ବୌଦ୍ଧରେ ଫାଇଭ-ଟି ସଚିବଙ୍କ ଗାଡ଼ିକୁ କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ଼

165

କନକ ବ୍ୟୁରୋ: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡିକୁ ଅଣ୍ଡାମାଡ । ବୌଦ୍ଧରେ କଚେରୀ ଛକରେ ହୋଇଛି ଅଣ୍ଡାମାଡ । ପୋଲିସ ଜଣଙ୍କୁ ଉଠାଇନେଇଥିବା ସୂଚନା ରହିଛି । ଦିନିକିଆ ବୈଦ୍ଧ ଗସ୍ତରେ ଅଛନ୍ତି ୫ଟି ସଚିବ । ସେହିପରି ଆଜି ବିଜେପି ମଧ୍ୟ ୫-ଟି ସଚିବଙ୍କୁ ବିରୋଧ କରିଛି । କଂଟାମାଲ ବ୍ଲକ ଗସ୍ତରେ ଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ ବିଜେପିର ନେତା ଓ କର୍ମୀ କଳା ପତାକା ପଦର୍ଶନ କରିଥିଲେ । ତେବେ ବିରୋଧୀଙ୍କ ବିରୋଧ ଭିତରେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ୫-ଟି ସଚିବ ବିଭିନ୍ନ ବିକାଶମୂଳକ କାମର ସମୀକ୍ଷା ଜାରି ରଖିଛନ୍ତି ।

ପୁଣି ଥରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ବିରୋଧ କରିଛନ୍ତି ବିରୋଧୀ । କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିବା ବେଳେ ବିଜେପି କର୍ମୀମାନେ କଳା ପତାକା ପ୍ରଦର୍ଶନ କରିଛନ୍ତି । ବୌଦ୍ଧ କଚେରୀ ଛକରେ ଅଣ୍ଡାମାଡ ଏବଂ କଂଟାମାଲରେ ନାରାବାଜି । ଏସବୁ ଭିତରେ ବିଜେପି କର୍ମୀମାନେ ‘ପାଣ୍ଡିଆନ ଗୋ ବ୍ୟାକ’ ନାରା ଦେଇ ସଭାସ୍ଥଳକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ବିଭିନ୍ନ ଅଂଚଳକୁ ଗସ୍ତ କରୁଛନ୍ତି ଫାଇଭ-ଟି ସଚିବ । ଆଉ ଠିକ୍ ଏହି ସମୟରେ ତାଙ୍କ ବିରୋଧ କରାଯାଉଛି । ଗତାକଲି ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆପ୍ କର୍ମୀମାନେ ସଚିବଙ୍କ କାରକେଡ୍ ଉପରେକୁ ଅଣ୍ଡାମାଡ଼ କରିଥିଲେ । ସେହିପରି ପୂର୍ବରୁ ଜଗତସିଂହପୁର ଜିଲ୍ଲା ଗସ୍ତ ବେଳେ ମଧ୍ୟ ବିଜେପିକର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ ।

ବିରୋଧ ଭିତରେ ଫାଇଭ-ଟି ସଚିବଙ୍କ ଅଭିଯାନ ସେମିତି ଅବ୍ୟାହତ ରହିଛି । ବୌଦ୍ଧ ଜିଲ୍ଲା ଗସ୍ତରେ ଭି.କେ ପାଣ୍ଡିଆନ୍ ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେହିପରି କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ କଲେଜ ଗୁଡ଼ିକ ପାଇଁ ହେଉଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି ।