ଦୁଷ୍କର୍ମ ପୀଡିତା ନାବାଳିକା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ । ଗର୍ଭପାତ କରିବା ପାଇଁ ଦେଲେ ଅନୁମତି ।

250

କନକ ବ୍ୟୁରୋ: ଦୁଷ୍କର୍ମ ପୀଡିତା ଗର୍ଭବତୀ ନାବାଳିକାକୁ ଗର୍ଭନଷ୍ଟ କରିବା ପାଇଁ ଅନୁମତି ଦେଲେ ହାଇକୋର୍ଟ । ପୁରୀ ଅଂଚଳର ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ । ହାଇକୋର୍ଟ ଆବେଦନର ଶୁଣାଣି କରି ଗର୍ଭପାତ କରିବା ପାଇଁ ଅନୁମତି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧରନ ଓ ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

ଖଣ୍ଡପୀଠ ରାୟରେ କହିଛନ୍ତି, ମାନସିକ ଓ ଶାରିରୀକ ଭାବେ ନାବାଳିକା ସନ୍ତାନ ଧାରଣ କରିବାକୁ ଚାହୁଁନଥିବାରୁ ଗର୍ଭ ନଷ୍ଟ କରିପାରିବେ । ନାବାଳିକା ଜଣକ ୨୧ ସପ୍ତାହର ଗର୍ଭବତୀ ହୋଇଥିବା ବେଳେ ଗର୍ଭନଷ୍ଟ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଏସସିବିକୁ ଯାଇଥିଲେ । ହେଲେ ଆଇନର ଦ୍ୱାହି ଦେଇ ନାବାଳିକାର ଗର୍ଭନଷ୍ଟ ପାଇଁ ରାଜି ହୋଇନଥିଲେ ଡାକ୍ତର । ଫଳରେ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଗର୍ଭପାତ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନାବାଳିକାର ବାପା ମାଆ । କୋର୍ଟ ଆବେଦନକୁ ଗ୍ରହଣ କରି ନାବାଳିକା ଉଭୟ ମାନସିକ ଓ ଶାରିରୀକ ଭାବେ ଛୁଆ ଜନ୍ମ ଦେବା ଓ ଯତ୍ନ ନେବାରେ ଅକ୍ଷମ ବୋଲି ହୃଦୟଙ୍ଗମ କରି ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ।