କିଏ ହେବେ ନୂଆ ପିସିସି ସଭାପତି ? ନେତାଙ୍କ ସହ ପ୍ରଭାରୀଙ୍କ ୱାନ୍ ଟୁ ୱାନ ଆଲୋଚନା ପରେ ବି ନାଁ ଚୂଡାନ୍ତ ହୋଇପାରିନଥିବା ସୂଚନା

330

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସର କିଏ ଧରିବ ମଙ୍ଗ । ଏନେଇ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଭାରୀ ଚେଲାକୁମାରଙ୍କ ଅଧକ୍ଷତାରେ ଦୁଇ ଦିନ ଧରି ମାନସମନ୍ଥନ ହୋଇଥିଲା । ବିଧାୟକ ଓ ନେତାଙ୍କ ସହ ୱାନ-ଟୁ-ୱାନ ଆଲୋଚନା କରିଥିଲେ ପ୍ରଭାରୀ ଚେଲା କୁମାର । ହେଲେ, କାହାକୁ ପରବର୍ତ୍ତୀ ପିସିସି ସଭାପତି କରାଯିବ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରିନଥିବା ସୂଚନା ମିଳିଛି । କାରଣ ଯେଉଁ ଚାରିଜଣଙ୍କୁ ପିସିସି ସଭାପତି କରିବା ପାଇଁ ଚର୍ଚ୍ଚା ହେଉଛି, ସେମାନଙ୍କ ମଧ୍ୟରୁ କୌଣସି ଜଣଙ୍କ ନାଁରେ ନେତାମାନେ ଏକମତ ହୋଇପାରି ନାହାଁନ୍ତି । ନେତାମାନେ ନିଜ ନିଜ ଇଛାରେ ସଭାପତି କରିବା ପାଇଁ ନାଁ କହିଛନ୍ତି ।

ଯାହାକି ଦଳ ପାଇଁ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି କରିଛି । ସବୁଠାରୁ ବଡ କଥା ହେଉଛି, ଯେଉଁ ଶରତ ପଟ୍ଟନାୟକଙ୍କୁ ପରବର୍ତ୍ତୀ ପିସିସି ମୁଖିଆ କରିବା ପାଇଁ ଏକପ୍ରକାର ନିଷ୍ପତି ହୋଇଥିବା କୁହାଯାଉଥିଲା, ତାଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି । ଏଥିସହ ସେ କିଛି ବର୍ଷ ହେବ ରାଜ୍ୟ ରାଜନୀତିରେ ସେଭଳି ସକ୍ରିୟ ଭୂମିକାରେ ନାହାଁନ୍ତି । ଅନ୍ୟପଟେ ବରିଷ୍ଠ ନେତା ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଓ କଂଗ୍ରେସ ବିଧାୟକ ଦଳ ତାରା ବାହିନିପତି ସଚେତକ ପଦରୁ ଇସ୍ତଫା ଦେଇଛନ୍ତି । ଗୋଟିଏ ପଟେ ପିସିସି ସଭାପତି ଚୟନକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଥିବାବେଳେ ନରସିଂହ ଓ ତାରାଙ୍କ ଏହି ପଦକ୍ଷେପ ଦଳ ପାଇଁ ଅଡୁଆକୁ ବଢ଼ାଇ ଦେଇଛି ।